ନା ଫୋଡ଼ା ହେବ ଛୁଞ୍ଚି, ନା ହେବ କଷ୍ଟ ; ଫୁଙ୍କିକି ଜାଣିପାରିବେ ‘ସୁଗାର ଲେବୁଲ’

ସୁଗାର ଲେଭେଲ୍ ପରୀକ୍ଷା ବେଳେ ବାହାରିବନି ରକ୍ତ କେବଳ ଫୁଙ୍କିଲେ ଜାଣିପାରିବେ । ଜାଣନ୍ତୁ କିଏ ଏଭଳି ଏକ ମେସିନ ଆବିଷ୍କାର କରିଛନ୍ତି ?

ଭୋପାଳ:  ମଧୁମେହ ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର । ଏଥର ଆଉ ମଧୁମେହ ପରୀକ୍ଷା କରିବା ପାଇଁ ବାରମ୍ବାର ଛୁଞ୍ଚି ଫୋଡ଼ି ରକ୍ତ ବାହାର କରିବାକୁ ପଡ଼ିବ ନାହିଁ । ମଧ୍ୟପ୍ରଦେଶ ବାଲାଘାଟର ଜଣେ ପ୍ରଫେସର ଏଭଳି ଏକ ମେସିନ ତିଆରି କରିଛନ୍ତି, ଯେଉଁଥିରେ ଫୁଙ୍କିଲେ ଆପଣ ଜାଣିପାରିବେ ରକ୍ତରେ ଶର୍କରା ସ୍ତର କେତେ ରହିଛି ? ଏହା ଏଭଳି ଏକ ମେସିନ୍ ଯେଉଁଥିରେ କେବଳ ଥରେ ଫୁଙ୍କିଲେ ଆପଣ ଜାଣିପାରିବେ ସୁଗାର ଲେବୁଲ୍ ।

ଫୁଙ୍କିଲେ ଜାଣିପାରିବେ ‘ସୁଗାର ଲେବୁଲ୍’:

ବାଲାଘାଟର ପ୍ରଧାନମନ୍ତ୍ରୀ ଉତ୍କର୍ଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୋପାଳରେ ଆୟୋଜିତ ସୃଜନ କାର୍ଯ୍ୟକ୍ରମରେ ସେମାନଙ୍କର ପ୍ରକଳ୍ପ ‘ସୁଗାର ବ୍ରେଥ୍ ଏସିଟୋନ୍ 3.0’ ଉପସ୍ଥାପନ କରିଥିଲେ ଏବଂ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିବା ସହ ସବୁଠି ଚର୍ଚ୍ଚା ଏବଂ ପ୍ରଶଂସା ସାଉଁଟିଛନ୍ତି।

ଏହି ଡିଭାଇସର ବିଶେଷ କଥା ହେଉଛି ଏଥିରେ କୌଣସି ପ୍ରକାରର ଛୁଞ୍ଚି କିମ୍ବା ରକ୍ତର ଆବଶ୍ୟକତା ନାହିଁ – କେବଳ ଫୁଙ୍କନ୍ତୁ ଏବଂ ମେସିନ୍ ଆପଣଙ୍କୁ ଆପଣଙ୍କର ସୁଗାର ଲେବୁଲ କହିବ। ଫଳରେ ଆପଣଙ୍କୁ ଆଉ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ନିଜ ଯତ୍ନ ନେଇପାରିବେ ।

ଏହି ଆବିଷ୍କାର 8 ବର୍ଷର କଠିନ ପରିଶ୍ରମର ରେଜଲ୍ଟ

ଏହି ଆବିଷ୍କାର ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଫେସର ଡକ୍ଟର ଦୁର୍ଗେଶ ଆଗାସେ । ଯିଏ ଗତ 8 ବର୍ଷ ଧରି ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି। 2017 ମସିହାରେ ମଧୁମେହ ରୋଗୀଙ୍କ ଶ୍ୱାସରେ ଆସିଟୋନର ଉପସ୍ଥିତି ଦେଖିବା ପରେ ତାଙ୍କୁ ଏହି ଧାରଣା ଆସିଥିଲା। ଏହି ମେସିନ୍ ଆସିଟୋନ୍ ଏବଂ ଗ୍ଲୁକୋଜ୍ ମଧ୍ୟରେ ସମ୍ପର୍କ ଉପରେ ବୈଜ୍ଞାନିକ ଅଧ୍ୟୟନ ପରେ ତିଆରି କରାଯାଇଥିଲା। ଏହାର ପେଟେଣ୍ଟ 2023 ମସିହାରେ ପଞ୍ଜିକୃତ ହୋଇଥିଲା।

ପ୍ରଯୁକ୍ତିବିଦ୍ୟା ଏବଂ ଇଞ୍ଜିନିୟରିଂର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ

ଏହି ମଡେଲ ତିଆରି କରିବାରେ କେବଳ ଜୀବବିଜ୍ଞାନ ନୁହେଁ, ଇଞ୍ଜିନିୟରିଂ ଏବଂ କୋଡିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଛାତ୍ର ହର୍ଷ ତିୱାରୀ ଏହି ମେସିନ୍ ପାଇଁ କୋଡିଂ କରିଥିଲେ ।ଏବେ ଏହି ପ୍ରୋଜେକ୍ଟ ପାଇଁ ଏକ ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଉଛି।

ଖୁବ୍ ଶୀଘ୍ର ଡାକ୍ତରଙ୍କ ପାଖରେ ପହଞ୍ଚିବ ଏହି ମେଶିନ

ଡକ୍ଟର ଆଗାସେ କହିଛନ୍ତି ଯେ ଏହି ମଡେଲର 60 ୟୁନିଟ୍ ପ୍ରସ୍ତୁତ କରାଯାଉଛି, ଯାହା ଜିଲ୍ଲାର 60 ଜଣ ଡାକ୍ତରଙ୍କୁ ପରୀକ୍ଷା ପାଇଁ ଦିଆଯିବ। ଏହାକୁ 2026 ସୁଦ୍ଧା ମାର୍କେଟରେ ଲଞ୍ଚ କରିବାକୁ ଯୋଜନା କରାଯାଉଛି