fbpx

କୋଟାରେ କମୁନି ଛାତ୍ର ଆତ୍ମହତ୍ୟା: ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଦୁଇ ଛାତ୍ରଙ୍କ ସମାନ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଟାରେ ଅତ୍ମହତ୍ୟା ମାମଲା ଥମିବାର ନାଁ ଧରୁନି । ରବିବାର ଦିନ କୋଟାରେ ଆଉ ଦୁଇଜଣ ଛାତ୍ର ଅତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏହି ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ରାଜ୍ୟରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ କୌଣସି ପରୀକ୍ଷା ହେବ ନାହିଁ ବୋଲି ରବିବାର ଦିନ ଆଦେଶ ଜାରି କରିଥିଲେ ଗେହଲଟ ସରକାର । ତେବେ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ତେବେ ଚଳିତ ବର୍ଷ କୋଟାରେ ଆତ୍ମହତ୍ୟ କରିଥିବା ଛାତ୍ରଙ୍କ ସଂଖ୍ୟା ବର୍ତ୍ତମାନ ୨୩କୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, ୨୦୧୫ ପରଠାରୁ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଚଳିତବର୍ଷର ସବୁଠାରୁ ଅଧିକ ରହିଛି । ଏବେ ପର୍ଯ୍ୟନ୍ତ ମୋଟ ୨୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଅଗଷ୍ଟ ମାସରେ ୬ ଜଣ ଚାତ୍ର ଆତ୍ମହତ୍ୟା କରିଛନ୍ତି । ତେବେ ଏହାକୁ ନେଇ ସରକାର ୨ ମାସ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନ କରିବାକୁ ରବିବାର ଏକ ଆଦେଶ ଜାରି କରି କହିଛନ୍ତି । ତେବେ ଆତ୍ମହତ୍ୟା କରିଥିବା ଏହି ୧୬ ବର୍ଷୀୟ ଛାତ୍ରଜଣକ ମହାରାଷ୍ଟ୍ରର ବୋଲି ପୋଲିସ ସୂଚନା ଦେଇଛି। ଏହି ଛାତ୍ର କୋଟାର ବିଜ୍ଞାନ ନଗର ଅଞ୍ଚଳର ଏକ ୬ ମହଲା କୋଠାରୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ସେ ପରୀକ୍ଷା ଦେବାର କିଛି ସମୟ ପରେ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷପ ନେଇଛନ୍ତି।

ତେବେ ଏହାର ୬ ଘଣ୍ଟା ପରେ ବିହାରର ଆଉ ଜଣେ ଛାତ୍ର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଛାତ୍ର ଜଣକ ନିଜର ସମ୍ପର୍କୀୟ ଭାଇ ଏବଂ ଭଉଣୀ ସହିତ କୁନାଡିରେ ଏକ ଭଡା ଆପାର୍ଟମେଣ୍ଟରେ ରହୁଥିଲେ । ପୋଲିସ କହିବା ଅନୁସାରେ, ହଠାତ୍ ସନ୍ଧ୍ୟାରେ ତାଙ୍କ ଭାଇ ଭଉଣୀ ତାଙ୍କୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ପାଇଲେ । ତେବେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ଆତ୍ମହତ୍ୟା କରିଥିବା ଉଭୟ ଛାତ୍ରଙ୍କ ପାଖରୁ କୌଣସି ସୁଇସାଇଡ ନୋଟ ମିଳି ନଥିବା କହିଛି ପୋଲିସ ।

ସେପଟେ ଏହି ଘଟଣା ପରେ କୋଚିଙ୍ଗ ସେଣ୍ଟରରେ ଆସନ୍ତା ୨ ମାସ ପର୍ୟ୍ୟନ୍ତ କୌଣସି ପରୀକ୍ଷା ହେବ ନାହିଁ ବୋଲି ଜିଲ୍ଲା କଲେକ୍ଟର ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ପୋଲିସ ରିପୋର୍ଟ ଅନୁସାରେ ଗତ ୨୦୨୨ରେ କୋଟାରେ ୧୫ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୧୮ ଜଣ, ୨୦୧୮ରେ ୨୦ ଜଣ ଏବଂ ୨୦୧୭ରେ ୭ ଜଣ ଆତ୍ମହତ୍ୟା କରିଥିଲେ । ସେହିପରି ୨୦୧୬ରେ ଏହି ସଂଖ୍ୟା ୧୭ ଥିବା ବେଳେ ୨୦୧୫ରେ ୧୮ ଛାତ୍ରଙ୍କ ମୃତ୍ୟୁ ହୋଇଛି । ତେବେ ୨୦୨୦ରେ ୨୦୨୧ରେ କୌଣସି ଛାତ୍ର ଆତ୍ମହତ୍ୟା କରନଥିବା ପୋଲିସ ରେକର୍ଡରୁ ସୂଚନା ମିଳିଛି ।

Get real time updates directly on you device, subscribe now.