ମୁମ୍ବାଇ: ‘ଗଦର-୨’ର ଅପୂର୍ବ ସଫଳତା ପରେ ପୁଣିଥରେ ବଲିଉଡରେ ନିଆଁ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସନ୍ନି ଦେଓଲ । ଦୀର୍ଘ ବର୍ଷ ପରେ ଏଭଳି ଏକ ସଫଳତା ହାସଲ କରିବା ପରେ ଏହାକୁ ବଜାୟ ରଖିବାକୁ ଚାହୁଁଛନ୍ତି ବଲିଉଡର ତାରା ସିଂହ । ବକ୍ସ ଅଫିସରେ ୫୨୪ କୋଟି ଟଙ୍କା ଆୟ କରିବା ପରେ ଚଳିତବର୍ଷର ଦ୍ୱିତୀୟ ସର୍ବଶ୍ରେଷ୍ଠ ସିନେମା ହୋଇଛି ‘ଗଦର-୨’ । ଏହାପରେ ସନ୍ନି ଆଉ ଏକ ବିଗ୍ ବଜେଟର ସିନେମା କରିବାକୁ ଆଗଭର ହୋଇଛନ୍ତି । ତାଙ୍କର ବହୁ ପ୍ରତୀକ୍ଷିତ ସିନେମା ‘ବର୍ଡର-୨’କୁ ନେଇ ଡିଲ୍ କରିଛନ୍ତି ସନ୍ନି ଦେଓଲ ।
ଦୀର୍ଘ ଦିନରୁ ‘ବର୍ଡର-୨’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳିଛି । ଖୁବଶୀଘ୍ର ୯୦ ଦଶକର ବ୍ଲକବଷ୍ଟର ସିନେମା ‘ବର୍ଡର’ର ସିକ୍ୱେଲର ଶୁଟିଙ୍ଗ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାଯାଇଛି । ବହୁ ଦିନରୁ ଏହି ସିନେମା ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ମଧ୍ୟ ଅଭିନେତାଙ୍କ ସିନେମା ଫ୍ଲପ ହେଉଥିବାର କୌଣସି ରିସ୍କ ନେବାକୁ ଡରୁଥିଲେ ମେକର୍ସ । ତେବେ ଜାଣିବାକୁ ମିଳିଛି ଯେ, ସିନେମାର ମୁଖ୍ୟ ଅଭିନେତା ସନ୍ନି ଦେଓଲ ଏହି ଫିଲ୍ମ ପାଇଁ ସାଇନ୍ କରି ସାରିଛନ୍ତି । ‘ବର୍ଡର-୨’ ପାଇଁ ୫୦ କୋଟ ଟଭ୍କାର ଏକ ବଡ଼ ଡିଲ କରିଛନ୍ତି ସନ୍ନି । ଏହା ସହିତ ଫିଲ୍ମରେ ନିର୍ମାତାଙ୍କ ଲାଭରୁ ମଧ୍ୟ ସେ ଭାଗ ନେବେ ବୋଲି ଡିଲ କରିଥିବା ଜଣାଯାଇଛି ।
ଏହି ସିନେମାକୁ ନେଇ ମେକର୍ସ କହିଛନ୍ତି ଯେ, ଏହା ଭାରତୀୟ ସିନେମାର ସବୁଠାରୁ ବଡ଼ ଯୁଦ୍ଧଭିତ୍ତିକ ସିନେମା ହେବ । ତେବେ ଆସନ୍ତା ୨୦୨୪ର ଦ୍ୱୀତିୟାର୍ଦ୍ଧରେ ଏହାର ଆରମ୍ଭ କରାଯିବ ବୋଲି କହିଛନ୍ତି ମେକର୍ସ । ଏହି ସିନେମାରେ ସନ୍ନି ଦେଓଲଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା, ଏମୀ ୱିର୍କ ଏବଂ ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ମଧ୍ୟ ସାମିଲ ହୋଇପାରନ୍ତି । ୧୯୯୭ ମସିହାରେ ରିଲିଜ ହୋଇଥିବା ‘ବର୍ଡର’ର ନିର୍ଦ୍ଦେଶକ ଜେପି ଦତ୍ତ ରହିଥିବା ବେଳେ ସନ୍ନିଙ୍କ ସହ ସୁନୀଲ, ଜ୍ୟାକି ସ୍ରଫ, ଅକ୍ଷୟ ଖାନ୍ନା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।