fbpx

ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଲୋକଙ୍କ ଦୁଃଖରୁ ଲାଭ ଉଠାଇବା ବନ୍ଦ କର

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ମହାମାରୀ କରୋନା ସମୟରେ ଘରୋଇ ହସ୍ପିଟାଲ ଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଉଛନ୍ତି । ଏପରି କାର୍ଯ୍ୟ ବନ୍ଦ ହେବା ଦରକାର ବୋଲି କହି ସୋମବାର ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ତାଗିଦ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଲୋକଙ୍କ ଚିକିତ୍ସା ପାଇଁ ସରକାରୀ କ୍ଷେତ୍ରରେ ଅଧିକ ଉନ୍ନତ ହସ୍ପିଟାଲ ଖୋଲାଯିବା ଦରକାର । ଏଥିସହ ହସ୍ପିଟାଲ୍‌ଗୁଡ଼ିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ନିଆଁ ଲାଗି ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି ବୋଲି କହି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଲୋକଙ୍କ ଦୁଃଖ ଉପରୁ ଲାଭ ଉଠାଇ ହସ୍ପିଟାଲଗୁଡ଼ିକ ନିଜକୁ ବଡ଼ବଡ଼ ଶିଳ୍ପ ସଂସ୍ଥାରେ ପରିଣତ କରିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ଏହି ହସ୍ପିଟାଲ୍‌ଗୁଡ଼ିକୁ ବନ୍ଦ କରିଦେବା ଭଲ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି ସମୟରେ ଦର୍ଶାଇଛନ୍ତି ଯେ, ଘରୋଇ ହସ୍ପିଟାଲଗୁଡ଼ିକ ଏବେ ଲୋକଙ୍କ ଦୁଃଖକୁ ଅଣଦେଖା କରି ପ୍ରବଳ ଫି’ ନେଇ ହସ୍ପିଟାଲଗୁଡ଼ିକୁ ବଡ଼ବଡ଼ ଶିଳ୍ପସଂସ୍ଥାରେ ପରିଣତ କରିବାରେ ଲାଗିଛନ୍ତି । ଆମେ କେବେ ହେଲେ ସେମାନଙ୍କୁ ଲୋକଙ୍କ ଜୀବନକୁ ନେଇ ଏପରି ସଫଳତା କିମ୍ବା ଆର୍ଥିକ ସ୍ତରରେ ଶକ୍ତିଶାଳୀ ହେବାକୁ ଦେବୁ ନାହିଁ । ସେଭଳି ହସ୍ପିଟାଲଗୁଡ଼ିକୁ ଏବେ ବନ୍ଦ କରି ଦିଆଯାଉ । ଏହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ହସ୍ପିଟାଲଗୁଡ଼ିକ ପାଇଁ ଧାର୍ଯ୍ୟ ସୁରକ୍ଷା ସମ୍ପର୍କିତ ଅନୁମତିର ତାରିଖକୁ ଗୁଜରାଟ୍‌ ସରକାର ବୃଦ୍ଧି କରିଥିବାରୁ ଏହାକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଣ୍ଡପୀଠ ଦର୍ଶାଇଛନ୍ତି ଯେ,. ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଯାଇଥିଲେ । ସେ ଗୋଟିଏ ଦିନ ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥାଆନ୍ତେ । କିନ୍ତୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା । ଦୁଇ ଜଣ ନର୍ସ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଗଲେ । ଏହା ସତ୍ତେ୍ୱ ଆମେ ଏପରି ହସ୍ପିଟାଲଗୁଡ଼ିକ ପାଇଁ ଧାର୍ଯ୍ୟ ସମୟକୁ ବୃଦ୍ଧି କରିବାରେ ଲାଗିଛେ । ହସ୍ପିଟାଲଗୁଡ଼ିକ ଏବେ ରିୟଲ-ଇଷ୍ଟେଟ୍‌ ସଂସ୍ଥାରେ ପରିଣତ ହୋଇଛି । ଦୁଃଖରୁ ରୋଗୀଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ହସ୍ପିଟାଲଗୁଡ଼ିକ ସେମାନଙ୍କୁ ଟଙ୍କା ଉପାର୍ଜନର ମେସିନ ଭାବେ ବ୍ୟବହାର କରିବାରେ ଲାଗିଛନ୍ତି ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ ଯଦି ଗୋଟିଏ ୧୦ ମହଲା ବିଲ୍ଡିଂରେ କୋଭିଡ ରୋଗୀଙ୍କ ପାଇଁ ୪ରୁ ୫ଟି ବେଡ୍‌ ରହିଛି ଓ କୋଠାକୁ ବ୍ୟବହାର ଅନୁମତି ମିଳିନାହିଁ ତେବେ ତାହାକୁ ବନ୍ଦ କରିଦେଲେ କି ପ୍ରଭାବ ପଡ଼ିବ କଳ୍ପନା କରାଯାଉ । ଯଦି ଏପରି ହସ୍ପିଟାଲକୁ ଆମେ ବନ୍ଦ କରିଦେବା ତେବେ ହେଲେ ମୋଟ ୩୦ ହଜାର ହସ୍ପିଟାଲ ବେଡ୍‌ ଉପଲବ୍ଧ ହେବନାହିଁ ବୋଲି ସେ କହିଛନ୍ତି ।

ଏହାର ଜବାବରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏଭଳି ବିଲ୍ଡିଂରେ ଥିବା ନର୍ସିଂ ହୋମର ଦୋଷତ୍ରୁଟିକୁ କେବେ ହେଲେ ମାର୍ଜନା କରାଯାଇ ପାରିବ ନାହିଁ । ଜଷ୍ଟିସ ଶାହ ଏହି ସମୟରେ କହିଛନ୍ତି ଯେ କୋର୍ଟ ଯଦି କୌଣସି ନିର୍ଦ୍ଦେଶନାମା ଜାରି କରୁଛନ୍ତି ତାହା ହସ୍ପିଟାଲଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ସମ୍ପୃକ୍ତ ରାଜ୍ୟ ସରକାର ତଦାରଖ କରିବା ଆବଶ୍ୟକ । ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ କୋଭିଡ କେୟାର ସେଣ୍ଟରରେ ଉପଲବ୍ଧ କରାନ୍ତୁ । ଗୁଜରାଟ ସରକାର ହସ୍ପିଟାଲଗୁଡ଼ିକ ପ୍ରତି କୋହଳ ନୀତି ପୋଷଣ କରିଥିବା ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ।

Get real time updates directly on you device, subscribe now.