fbpx

ଟ୍ୱିନ୍ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ

ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । କଟକ- ଭୁବନେଶ୍ୱରର ୧୦ମ ପୋଲିସ କମିଶନର ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ଆଇପିଏସ୍ ସୁରେଶ ସିଂହ । ପୂର୍ବତନ କମିଶନର ସଞ୍ଜୀବ ପଣ୍ଡାଙ୍କ ସ୍ଥାନ ନେଇଛନ୍ତି ସୁରେଶ ଦେବଦତ୍ତ ।

ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିଲା । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦେବଦତ୍ତ ସିଂହଙ୍କୁ ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଗାର୍ଡ଼ ଅଫ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ମୁଖ୍ୟତଃ ନକ୍ସଲ ଅପରେସନକୁ ସଫଳତାର ସହ ପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ସାରିଛନ୍ତି ସୁରେଶ ଦେବଦତ୍ତ ସିଂହ । ଏହାବାଦ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଡ୍ରୋନ ସାହାଯ୍ୟରେ ଚିହ୍ନଟ କରି ତାହାକୁ ନଷ୍ଟ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଚଳିତ ନିର୍ବାଚନରେ ନକ୍ସଲ ହିଂସା ମୁକ୍ତ ନିର୍ବାଚନ କରାଇବା ତାଙ୍କର ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ତେବେ ନୂଆ ଦାୟିତ୍ୱ ନେବା ପରେ ଶ୍ରୀ ସିଂହଙ୍କ ସମ୍ମୁଖରେ ବିଭିନ୍ନ ସମସ୍ୟା ଚାଲେଞ୍ଜ ଭାବେ ଛିଡ଼ା ହୋଇଛି । ମୁଖ୍ୟତଃ କଟକ, ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା, ଗଞ୍ଜେଇ ଚୋରା ଚାଲାଣ, ସାଇବର କ୍ରାଇମ୍‌ ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦକ୍ଷତାର ସହ ପରିଚାଳନା କରିବାରେ ସେ କିପରି ଭୂମିକା ନିର୍ବାହ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର । ସିପି ଦାୟିତ୍ୱ ନେଲା ପରେ ଗଣମାଧ୍ୟମ ସମ୍ମୁଖରେ ସେ ପ୍ରତିକ୍ରିୟାରେ କହିଛନ୍ତି ‘ପୋଲିସ ଏକା ସଙ୍ଗେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ । ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ ପୋଲିସ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ସମ୍ବେଦନଶୀଳ ରହିବ ଏବଂ ଆଇନ ପରିସରରେ ରହି ଯଥାସମ୍ଭବ ନ୍ୟାୟ ଦେବାକୁ ଚେଷ୍ଟା କରିବ ।’

Get real time updates directly on you device, subscribe now.