fbpx

ମୋଦୀଙ୍କୁ ଘେରିଲେ, ପୁଣି ମମତାଙ୍କୁ ଭେଟିଲେ-ପ୍ରଶଂସା କଲେ, କ’ଣ କରିବାକୁ ଯାଉଛନ୍ତି ସ୍ଵାମୀ ?

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। କେବଳ ଏତିକି ନୁହେଁ ଏହି ସାକ୍ଷାତ ପରେ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ସ୍ଵାମୀ କହିଛନ୍ତି, ମମତା ଜଣେ ସାହାସୀ ମହିଳା ଏବଂ ସିପିଏମ ସହ ତାଙ୍କର ଲଢେଇକୁ ମୁଁ ପ୍ରଶଂସା କରୁଛି। ସେ କମ୍ୟୁନିଷ୍ଟ ପାର୍ଟିକୁ ମାତ୍ ଦେଇଥିଲେ। ଗୁରୁବାର ରାତିରେ କୋଲକାତାରେ ମମତା ବାନାର୍ଜୀଙ୍କୁ ସୁବ୍ରମଣ୍ୟମ ସ୍ଵାମୀ ଭେଟିଥିଲେ। କୋଲକାତା ପ୍ରଶାସନର ସୂତ୍ର ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ଅଧା ଘଣ୍ଟା ପର‌୍ୟ୍ୟନ୍ତ ଚାଲିଥିଲା। ଏହା ଏକ ଆନୁଷ୍ଠାନିକ ସାକ୍ଷାତ ଥିଲା ଏବଂ ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା କୁହାଯାଇଛି। ହେଲେ ଦୁଇ ନେତାଙ୍କ ଭେଟକୁ ନେଇ ଅନେକ ଅର୍ଥ ବାହାର କରାଯାଉଛି।

ଉଲ୍ଲେଖନୀୟ ଦୀର୍ଘ ସମୟ ଧରି ସୁବ୍ରମଣ୍ୟମ ସ୍ଵାମୀ ବିଜେପିରେ କଣଠେସା ହୋଇ ରହିଛନ୍ତି। ସେ ସର୍ବଦା ମୋଦୀ ସରକାରଙ୍କ ନୀତିର ସମାଲୋଚନା କରି ଆସିଛନ୍ତି। ସୁବ୍ରମଣ୍ୟମ ସ୍ଵାମୀ ଟୁଇଟ୍ କରିଛନ୍ତି, ଆଜି ମୁଁ କୋଲକାତାରେ ଚମତ୍କାରୀ ନେତା ମମତା ବାନାର୍ଜୀଙ୍କୁ ଭେଟିଲି। ସେ ଜଣେ ସାହାସୀ ମହିଳା। ସିପିଏମ ସହ ତାଙ୍କର ଲଢେଇକୁ ନେଇ ମୁଁ ପ୍ରଶଂସା କରୁଛି। ସେ କମ୍ୟୁନିଷ୍ଟ ପାର୍ଟିକୁ ମାତ୍ ସରକାର ଗଢିଛନ୍ତି। ସେ ମମତା ବାନାର୍ଜୀଙ୍କ ସହ ନିଜ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ବୈଠକ ପରେ ସୁବ୍ରମଣ୍ୟମ ସ୍ଵାମୀଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କଣ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ଵରରେ ସୁବ୍ରମଣ୍ୟମ ସ୍ଵାମୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। କେବଳ ଏତିକି ନୁହେଁ ଅନେକ ଥର ମମତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଚଳିତ ବର୍ଷ ଜୁଲାଇରେ ସ୍ଵାମୀ ଟୁଇଟ୍ କରିଥିଲେ, ମୁଁ ମମତା ବାନାର୍ଜୀଙ୍କୁ ଜଣେ ବିଦ୍ଵାନ ନେତା ଭାବେ ଜାଣିଛି। ହୋଇପାରେ ଆମର ବୈଚାରିକ ମତଭେଦ ରହିଛି। ମାତ୍ର ଆମକୁ କୌଣସି ନେତାଙ୍କ ପ୍ରତିଭାକୁ ଚିହ୍ନିବା ଉଚିତ୍। କେବଳ ଏତିକି ନୁହେଁ ଗୁରୁବାର ସେ ଟୁଇଟ୍ କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ବୋର୍ଡର ପୁନର୍ଗଠନ କମିଟିରୁ ନୀତିନ ଗଡକରୀ ଏବଂ ଶିବରାଜ ସିଂହ ଚୌହାନ ପରି ନେତାଙ୍କୁ ବାହାର କରାଯିବା ଉପରେ ଟିପ୍ପଣୀ କରିଥିଲେ। ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ସୁବ୍ରମଣ୍ୟମ ସ୍ଵାମୀ କଣ କରିବାକୁ ଯାଉଛନ୍ତି ?

Get real time updates directly on you device, subscribe now.