fbpx

ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ହେଲେ BJP ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜେପି ଧାମନଗର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଥିବା ଜଣାପଡ଼ିଛି । ବିଷ୍ଣୁଙ୍କ ବିୟୋଗ ପରେ ଏହି ଆସନଟି ଖାଲି ପଡ଼ିଥିଲା ।

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସୂରଜଙ୍କ ନାମ ଘୋଷଣା କରିଛି । ଏଥିସହିତ ବିହାରର ଗୋପାଳଗଞ୍ଜ ଆସନ ପାଇଁ କୁସୁମ ଦେବୀ ଓ ମୋକାମା ଆସନ ପାଇଁ ସୋନମ ଦେବୀଙ୍କୁ ଦଳ ପ୍ରାର୍ଥୀ କରିଛି । ଧାମନଗର ଉପନିର୍ବାଚନ ପାଇଁ ଗତ ୭ ତାରିଖରେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ଦିବସ ହୋଇଥିବା ବେଳେ ୧୭ ତାରିଖ ନାମାଙ୍କନ ପ୍ରତ୍ୟାହାରରର ଶେଷ ଦିବସ ରହିଛି । ଆସନ୍ତା ନଭେମ୍ବର ମାସ ୩ରେ ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ହେବ । ଏହାପରେ ୬ରେ ରେଜଲ୍ଟ ପ୍ରକାଶ ପାଇବ ।

ଧାମନଗର ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୂର୍ବରୁ ଏହି ସିଟଟି ବିଜେପି ହାତରେ ରହିଥିବା ବେଳେ ଅନୁକମ୍ପାମୂଳକ ଭୋଟ ହାତେଇବା ଲକ୍ଷ୍ୟରେ ବିଜେପି ବିଷ୍ଣୁଙ୍କ ପୁତ୍ର ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଛି । ଏହି ସିଟରେ ଜିତିବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେହିପରି ଶାସକ ବିଜେଡି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତ ୨୦୧୯ ବିଧାନସଭା ନିର୍ବାଚନ ପରେ ଏହା ମଧ୍ୟରେ ୪ଟି ଉପନିର୍ବାଚନ ହୋଇଥିବା ବେଳେ ସବୁକୁ ମୂଳପୋଛ କରିବାରେ ସମର୍ଥ ହୋଇଛି ବିଜେଡି । ତେଣୁ ଏହି ଆସନକୁ ଅକ୍ତିଆର କରିବା ନେଇ ବିଜେଡି କିଛି ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ । ସେହିପରି କଂଗ୍ରେସ ମଧ୍ୟ ଉପନିର୍ବାଚନ ପାଇଁ ୫ ଜଣିଆ କମିଟି ଗଠନ କରିଛି । ଗତ ବ୍ରଜରାଜନଗର ଉପନିର୍ବାଚନରେ ଦଳ ବିଜେପିକୁ ପଛରେ ପକାଇ ବିଜେଡିକୁ ଟକ୍କର ଦେଇଥିବାରୁ ଦଳର ମନୋବଳ ବୃଦ୍ଧି ପାଇଛି ।

Get real time updates directly on you device, subscribe now.