fbpx

କଂଗ୍ରେସ ନେତାଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ ସୁଷମା ସ୍ୱରାଜଙ୍କ ସ୍ୱାମୀ, କହିଲେ କଂଗ୍ରେସ ନୁହେଁ ବିଜେପି ଅମଳରେ ଖୋଲାଯାଇଥିଲା ୬ ଏମ୍ସ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମିଲିନ୍ଦା ଦେୱଡା କଂଗ୍ରେସର ୬୦ ବର୍ଷର କାର୍ଯ୍ୟକାରିତାକୁ ନେଇ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟରେ କହିଛନ୍ତି ୧୦୦ ବର୍ଷର ସବୁଠୁ ବଡ ମହାମାରୀର ଲଢେଇର ମୂଳଦୁଆ କଂଗ୍ରେସର ୬୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ହିଁ ରଖାଯାଯାଇଥିଲା । ସେପଟେ କଂଗ୍ରେସ ନେତାଙ୍କ ଏହି ଟ୍ୱିଟର ଜବାବ ଦେଇଛନ୍ତି ଦେଶର ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ସ୍ୱରାଜ କୋଶଲ । ସେ କଂଗ୍ରେସ ନେତାଙ୍କର ଏହି ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ମିଲିନ୍ଦା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଲିଷ୍ଟ ଜାରି କରିଛନ୍ତି, ଯେଉଁଥିରେ ସ୍ୱାସ୍ଥ୍ୟ ସୁବିଧା ସହ ଜଡିତ ଥିବା ସଂସ୍ଥାନ ସହ ସେମାନଙ୍କ ପ୍ରତିଷ୍ଠା ବର୍ଷ ମଧ୍ୟ ଲେଖା ରିହିଛି । ଯେଉଁଥିରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ, ଜାଇଡସ କାଡିଲା, ସନ ଫାର୍ମା, ଡା. ରେଡ୍ଡୀ ଲ୍ୟାବ, ଦିଲ୍ଲୀ ଏମ୍ସ, ଭୋପାଲ ଏମ୍ସ, ରାୟପୁର ଏମ୍ସ, ଋଷିକେଶ ଏମ୍ସ, ଭୁବନେଶ୍ୱର ଏମ୍ସ, ଯୋଧପୁର ଏମ୍ସ, ପାଟଣା ଏମ୍ସ, ସାର୍ ଗଙ୍ଗାରାମ ଏବଂ ଡିଆରଡିଓର ଉଲ୍ଲେଖ ରହିଛି । କରୋନା ବିରୋଧରେ ଲଢେଇରେ ଏହି ସଂସ୍ଥାମାନଙ୍କର ବିଶେଷ ଉଲ୍ଲେଖ ରହିଛି । କଂଗ୍ରେସ ନେତା ଏହି ସବୁର ଶ୍ରେୟ କଂଗ୍ରେସ ସରକାରକୁ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଦେଶରେ ସିରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକ ଟୀକା ନିର୍ମାଣ କରୁଛନ୍ତି ।

ସ୍ୱରାଜ କୋଶଲ ମିଲିନ୍ଦ ଦେୱଡାଙ୍କୁ ଏହାର ଜବାବ ଦେଇ କହିଛନ୍ତି, “ଏହା ଠିକ ନୁହେଁ, ସୁଷମା ସ୍ୱରାଜ ୨୯ ଜାନୁଆରୀ ୨୦୦୩-୨୨ ମେ ୨୦୦୪ ପର୍ଯ୍ୟନ୍ତ ବିଜେପି ସରକାରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ସେ ଋଷିକେଶ, ଭୋପାଳ, ରାୟପୁର, ପାଟଣା, ଭୁବନେଶ୍ୱର ଏବଂ ଯୋଧପୁରରେ ଛଅଟି ଏମ୍ସ ସ୍ଥାପନା କରିଥିଲେ । ସେ କହିଛନ୍ତି ପ୍ରତ୍ୟେକ ଏମ୍ସ ୧୦୦ ଏକର ଜାଗା ଏବଂ ୨୦୦୦ କୋଟି ଟଙ୍କା ସହ ଆରମ୍ଭ କରାଯାଇଥିଲା ।” ସେ ଆହୁରି କହିଛନ୍ତି ସୁଷମା ସ୍ୱରାଜ ଏହି ୧୦୦ ଏକର ଜାଗାରେ ଏୟାର ଆମ୍ବୁଲାନ୍ସ ସହ ହେଲିପ୍ୟାଡ ବ୍ୟବସ୍ଥର ସୁବିଧା ମଧ୍ୟ କରିବାକୁ ଚାହୁଁଥିଲେ । ହସ୍ପିଟାଲର ସବୁ କର୍ମଚାରୀ- ଟେକନିସିଆନ, ନର୍ସ ଏବଂ ଡାକ୍ତର ଏମ୍ସ ପରିସରରେ ରହିବେ ଫଳରେ ଜରୁରୀ ପରିସ୍ଥିତିରେ ସେମାନେ ଉପଲବ୍ଧ ରହିବେ ।”

ସୂଚନାଯୋଗ୍ୟ, ୨୦୦୩ ଅଗଷ୍ଟ ୧୫ ଦିନ ସ୍ୱତନ୍ତ୍ରତା ଦିବସରେ ସମ୍ବୋଧନ ସମୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅନୁଯାୟୀ ଭୋପାଳ, ରାୟପୁର, ପାଟଣା, ଭୁବନେଶ୍ୱର, ଜୟପୁର ଏବଂ ଋଷିକେଶରେ ୬ ଟି ନୂଆ ଏମ୍ସର ଆରମ୍ଭର ଘୋଷଣା କରିଥିଲେ ।

Get real time updates directly on you device, subscribe now.