ନାବାଳକ ଚା’ ଦୋକାନୀକୁ ଗୋଇଠା ମାରିବା ଘଟଣା, ସସପେଣ୍ଡ ହେଲେ ପିସିଆର୍ କର୍ମଚାରୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ କରି ନିର୍ଦ୍ଧାରିତ ସମୟ ପରେ ବି ଦୋକାନ ଖୋଲିଥିବା ଜଣେ ନାବାଳକ ଚା’ ଦୋକାନୀଙ୍କୁ ଜଣେ ପୋଲିସ କର୍ମୀ ଗୋଇଠା ପରେ ଗୋଇଠା ମାରିବା ସହ ଦୋକାନରୁ କିଛି ଜିନିଷ ନେଇ ଚାଲିଯିବା ମହଙ୍ଗା ପଡ଼ିଛି । ସିସିଟିଭିରେ ରେକର୍ଡିଂ ହୋଇଥିବା ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି ।

ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଘଟିଛି । ଦୁଇ ଦିନ ତଳେ କେସୁରାରେ ଜଣେ ନାବାଳକ ଦିନ ଗୋଟାଏ ପରେ ବି ତାଙ୍କ ଚା’ ଦୋକାନ ଖୋଲା ରଖିଥିଲେ । ଏହି ସମୟରେ ପହଞ୍ଚିଥିଲେ ପାଟ୍ରୋଲିଂରେ ଥିବା ପୁଲିସ୍‌ କର୍ମଚାରୀ । ପିଲାଟି କିଛି ବୁଝିବା ପୂର୍ବରୁ ସେ ତାକୁ ଗୋଇଠା ପରେ ଗୋଇଠା ମାରିଥିଲେ । ଚା’ ଦୋକାନୀ ଜଣଙ୍କ ନାବାଳକ ବୋଲି ଜାଣି ସୁଦ୍ଧା ସେ ନିସ୍ତୁକ ମାଡ଼ ମାରିଥିଲେ । ପୋଲିସ୍‌ କର୍ମଚାରୀ ଜଣକ କେବଳ ମାଡ଼ ମାରି ନଥିଲେ । ସେ ଓ ତାଙ୍କ ସହଯୋଗୀମାନେ ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇ ଯାଇଥିଲେ । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିି ଉମାଶଙ୍କର ଦାଶ କହିଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଜଣେ ପିସିଆର କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ତାଙ୍କ ନାମ ଏ. କେ ବିଶ୍ୱାଳ । ତାଙ୍କ ସହିତ ଥିବା ଆଉ ୨ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ପିସିଆର ଟିମ୍‌ ସହିଦ ନଗର ଥାନା ଅଞ୍ଚଳରେ ପଶି ଏହି କାଣ୍ଡ ଭିଆଇଛନ୍ତି ।