କରୋନା ଟେଷ୍ଟ୍ ବାହାନାରେ ପ୍ରାଇଭେଟ୍ ପାର୍ଟରୁ ନେଇଥିଲେ ସ୍ୱାବ୍ ସାମ୍ପଲ୍, ଦୋଷୀକୁ ମିଳିଲା ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ: କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି କାରଣରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରାଯାଇଛି । ଗୋଟେପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଅନ୍ୟପଟେ କିଛି ସ୍ୱାସ୍ଥ୍ୟକର୍ମୀ ଏପରି ରହିଛନ୍ତି ଯେଉଁ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ବିଭାଗକୁ ଲଜ୍ଜିତ ହେବାକୁ ପଡ଼ିଛି । ଏହିପରି ଏକ ମାମଲା ମହାରାଷ୍ଟ୍ରରୁ ସାମନାକୁ ଆସିଛି । ଏଠାରେ ଏକ ଲ୍ୟାବ୍ ଟେକ୍ନିସିଆନ୍ କରୋନା ଟେଷ୍ଟ୍ କରିବା ବାହାନାରେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରୁ ସ୍ୱାବ୍ ସାମ୍ପଲ୍ ନେଇଯାଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତକୁ ସେସନ୍ କୋର୍ଟ ୧୦ ବର୍ଷର ଜେଲ୍ ଦଣ୍ଡ ଦେଇଛନ୍ତି ।

ସୂଚନା ଯେ, ମହାରାଷ୍ଟ୍ରରେ କରୋନାର ପ୍ରଥମ ଲହର ବେଳେ ଅମରାବତୀର ଏକ ମଲ୍ କର୍ମଚାରୀଙ୍କ କରୋନା ଟେଷ୍ଟ୍ ପଜିଟିଭ୍ ଆସିଛି । ଏହାପରେ ମଲ୍ ର ସମସ୍ତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ୍ କରାଯାଇଥିଲା । ଟେଷ୍ଟ୍ ପାଇଁ ବଡମେରା ସ୍ଥିତ ଏକ ଟ୍ରମା କେୟାର୍ ସେଣ୍ଟରକୁ କର୍ମଚାରୀ ମାନେ ଯାଇଥିଲେ । ସମସ୍ତ କର୍ମଚାରୀଙ୍କ ଟେଷ୍ଟ୍ କରିବା ପରେ ଅଭିଯୁକ୍ତ ଅଲକେଶ ଦେଶମୁଖ ଜଣେ ମହିଳା କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି କହି ଆଗାମୀ ଟେଷ୍ଟ୍ ପାଇଁ ଆସିବାକୁ କହିଥିଲା । ଏହି ମଉକାରେ ଅଭିଯୁକ୍ତ ଜଣକ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରୁ ସ୍ୱାବ୍ ସାମ୍ପଲ୍ ନେଇଯାଇଥିଲା ।

କୌଣସି ପ୍ରକାରେ ମହିଳା ଜଣକ ଏହି କଥା ଜାଣିପାରିଥିଲେ ଓ ନିଜ ଭାଇକୁ ଏ ସମ୍ପର୍କରେ ଜଣାଇଥିଲେ । ଏହାପରେ ଉକ୍ତ ଲ୍ୟାବ୍ ଟେକ୍ନିସିୟାନ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା । କୋର୍ଟରେ ଏହି ମାମଲା ଦେଢ଼ ବର୍ଷ ପର୍ଯ୍ୟନ୍ତ ବିଚାରାଧୀନ ରହିଥିଲା । ଆଉ ଏବେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଛି ଓ ୧୦ ହଜାର ଟଙ୍କା ଜୋରିମାନା ବି ଲଗାଯାଇଛି ।