fbpx

ବନ୍ଦରରେ ଲକ୍ଷ ଲକ୍ଷ ଟଙ୍କାର କୋଇଲା ହେରଫେର ମଧୁଚନ୍ଦ୍ରିକା, ସ୍ୱସ୍ତିକ ଷ୍ଟିଭେଡରକୁ ସୋ-କଜ୍‌ ନୋଟିସ୍‌

ପାରାଦୀପ,( ଭାସ୍କର ନ୍ୟୁଜ୍‌): ସିବିଆଇ ଖୋଳତାଡକୁ ନେଇ ପାରାଦୀପ ଉଠୁଛି ପଡୁଛି । ତା ଭିତରେ ପୁଣି ଏକ ଷ୍ଟିଭେଡର ସଂସ୍ଥା ଅଡୁଆରେ ପଡିଥିବା ନଜରକୁ ଆସିଛି । ଇମ୍ପୋର୍ଟେଡ୍‌ କୋକିଂ କୋଲ୍‌ ବେଆଇନ ଚାଲାଣ ଉଦ୍ୟମ କରି ଫସି ଯାଇଛି ସ୍ୱସ୍ତିକ ଷ୍ଟିଭେଡର ଲିମିଟେଡ଼ । ସେଥିପାଇଁ ପାରାଦୀପ ବନ୍ଦର ସମ୍ପୃକ୍ତ ଷ୍ଟିଭେଡର ସଂସ୍ଥାକୁ ସୋ-କଜ୍‌ ମାଗିଛି । ଯେଉଁଦିନ ସିବିଆଇ ପାରାଦୀପରେ ପାଦ ପକାଇଛି। ସେହିଦିନ ସୋ-କଜ୍‌ ମଗାଯାଇଛି । ପୋର୍ଟ ଆଉ ଷ୍ଟିଭେଡର ମଧୁଚନ୍ଦ୍ରିକା ଯୋଗୁଁ ଘଟଣାକୁ ୪ ମାସ କାଳ ଚାପି ରଖିବା ପରେ ସିବିଆଇ ଡରରେ ଏବେ ତରବରିଆ ସୋ-କଜ୍‌ ମଗାଯାଇଥିବା ନେଇ ଚର୍ଚ୍ଚା ହେଉଛି ।

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ‘ଭୂଷଣ ପାୱାର ଆଣ୍ଡ ଷ୍ଟିଲ’ ର କୋଇଲା ପ୍ଲଟରୁ ସ୍ୱସ୍ତିକ ଷ୍ଟିଭେଡର ୨ ଟ୍ରକ କୋକିଂ କୋଲ୍‌ ଉଠାଇଥିଲା । ଟ୍ରକ ଦୁଇଟି ଓଜନ ନ ହୋଇ ଓଜନକଣ୍ଟା ନିକଟରେ ଦୀର୍ଘ ସମୟ ଅଟକି ରହିଥିଲା । ସନ୍ଦେହ ହେବାରୁ ପୋର୍ଟ ଟ୍ରାଫିକ କର୍ମଚାରୀ ଯାଞ୍ଚ କରିଥିଲେ । ତେବେ ଟ୍ରକ ଡ୍ରାଇଭର ଉଠାଇଥିବା କୋଇଲା ଲୋଡିଂର ସ୍ଲିପ୍ କିମ୍ବା ଚାଲାଣ ଦେଖାଇ ପାରିନଥିଲେ । ସ୍ୱସ୍ତିକ ଷ୍ଟିଭେଡରର ସୁ ରଭାଇଜରଙ୍କ ନିର୍ଦ୍ଦେଶରେ ସେମାନେ ସେହି ନିର୍ଦ୍ଦିଷ୍ଟ ପ୍ଲଟରୁ କୋଇଲା ଉଠାଇଥିବା ସଫେଇ ଦେବା ସହ ‘ଇଣ୍ଡୋ ଜର୍ମାନ ଇଣ୍ଟରନ୍ୟାସନାଲ୍‌ ପ୍ରାଇଭେଟ ଲିମିଟେଡ଼’ର ଲୋଡିଂ ସ୍ଲି୍‌ ଏବଂ ଚାଲାଣ ଦେଖାଇଥିଲେ । ଏଘଟଣା ଗତ ଅପ୍ରେଲ ମାସର ହୋଇଥିବା ବେଳେ ସିଆଇଏସଏଫ କମାଣ୍ଡାଣ୍ଟଙ୍କ ଦ୍ୱାରା ତଦନ୍ତ ରିପୋର୍ଟ ମାଗିବା ପରେ ଏବେ ଚଳିତ ମାସ ୩ ତାରିଖରେ ପାରାଦୀପ ପୋର୍ଟ ଅଥରିଟି ଆକ୍ସନ ମୋଡକୁ ଆସିଛନ୍ତି ।

ତେବେ ଏ ନେଇ ସମ୍ପୃକ୍ତ ଷ୍ଟିଭେଡର ସଂସ୍ଥାର ପ୍ରତିକ୍ରିୟା ମିଳିାରି ନାହିଁ । ତେବେ ପ୍ରାୟ ୬ ମାସ ତଳେ ସମାନ ଅଭିଯୋଗ ଆସିଥିଲା ଅନ୍ୟ ଏକ କମ୍ପାନୀ ନାଁରେ । ମାତ୍ର କେଇଟା ଦିନ ଭିତରେ ସେ କମ୍ପାନୀର ୨୫ ରୁ ଉର୍ଦ୍ଧ୍ୱ ଟ୍ରକ ସିଜ୍‌ କରାଯିବା ସହ ୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିଲା । କେବଳ ସେତିକି ନୁହେଁ, ୨ଟି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଥିଲା । ତାହେଲେ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତେ ଦିନ ସମୟ କାହିଁକି ଲାଗିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଉକ୍ତ ଷ୍ଟିଭେଡର ସଂସ୍ଥା ଓ ପାରାଦୀପ ବନ୍ଦର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏମିତି ହୋଇଛି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.