ଆଉ ସହି ହେବନି ଗୁଳୁଗୁଳି, ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା ୬୪.୫%

ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି।

ଭୁବନେଶ୍ୱର:  ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଅପରାହ୍ନ ହେଲେ ମାଡି ଆସୁଛି ବର୍ଷା ପବନ। ହେଲେ ତଥାପି ଖରା ତାତି ଓ ଗୁଳୁଗୁଳିରୁ ମିଳୁନି ତ୍ରାହି। ରାତି ନ ପାହୁଣୁ ଆରମ୍ଭ ହେଇଯାଉଛି ଗୁଳୁଗୁଳି।

ଯାହାକୁ ସହିବା କଷ୍ଟକର ହୋଇଯାଉଛି। ଏଇ ଦେଖୁନାହାନ୍ତି ସକାଳ ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ଛୁଇଁଲାଣି ପାରଦ। ଖାଲି କ’ଣ ଖରା ତାତି, ତାତି ସାଙ୍ଗକୁ ରାଜଧାନୀ ଭୁବନେଶ୍ୱରରେ କଲବଲ କଲାଣି ଗୁଳୁଗୁଳି।

ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରୁ ଯଦିଓ କିଛିଟା ଆଶ୍ୱସ୍ତି ମିଳୁଛି ତଥାପି ସକାଳ ହେଉ ହେଉ ଆଉ ରହି ହେଉନି। ଆଜି ଦେଖୁନାହାନ୍ତି କିପରି ଗୁଳୁଗୁଳି ହେଉଛି। ରାଜଧାନୀ ଭୁବନେଶ୍ୱରରେ ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା ୬୪.୫% ରେକର୍ଡ କରାଯାଇଛି। ଯାହାକି ଆଗକୁ ବଢ଼ିବ ବୋଲି ଆକଳନ କରାଯାଉଛି।