ଗ୍ରାହକଙ୍କ ଠାରୁ ଅଧିକ ପଇସା ଆଦାୟ କରୁଛି ସ୍ୱିଗି, X ରେ ପୋଷ୍ଟ କରି ଅଭିଯୋଗ ଆଣିଲେ ଗ୍ରାହକ

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାକୁ ଆସିଛି ସ୍ୱିଗି । ତେବେ ସ୍ୱିଗକୁ ନେଇ ଏହି ଚର୍ଚ୍ଚା କୌଣସି ଅଫର କିମ୍ବା ଡିସକାଉଣ୍ଟ ପାଇଁ ନୁହେଁ ବରଂ ଗ୍ରାହକଙ୍କ ଠାରୁ ଅଧିକ ପଇସା ଆଦାୟ କରିବା ଅଭିଯୋଗରେ । ପ୍ରକୃତ ଘଟଣା ହେଉଛି କିଛି ଲୋକ ଟ୍ୱିଟର(ଏକ୍ସ)ରେ ପୋଷ୍ଟ କରି ସ୍ୱିଗି ଉପରେ ଅଧିକ ପଇସା ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ହୋଇଛି ଯେ, ପ୍ରତି ଅର୍ଡରରେ ସ୍ୱିଗି ୩ ଟଙ୍କା କିମ୍ବା ଅଧିକ ପଇସା ବିଲ୍ ସହ ଯୋଡି ଆଦାୟ କରୁଛି । ଏଠାରେ ସୂଚାଇ ଦିଆଯାଇପାରେ ସ୍ୱିଗି ଏକ ଲୋକପ୍ରିୟ ଅନଲାଇନ ଫୁଡ୍ ଡେଲିଭରି ଆପ୍ ।

ଏହି ଟୁଇଟ୍‌ରେ ଦର୍ଶାଯାଇଛି ଯେ, ପୁରା ବିଲ୍‌ରେ ୩ ଟଙ୍କା କିମ୍ବା ଏହାଠାରୁ ଅଧିକ ପଇସା ଯୋଡି ସ୍ୱିଗି ରାଉଣ୍ଡ ଫିଗର କରି ବିଲ୍ ଦେଉଛି । ଯଦି କୌଣସି ଗ୍ରାହକଙ୍କ ବିଲ୍ ୨୭୧ଟଙ୍କା ୯୧ ପଇସା ହୋଇଛି ତେବେ କମ୍ପାନୀ ଏହାକୁ ରାଉଣ୍ଡ ଫିଗର କରିବା ଲାଗି ସେଥିରେ ୯ ପଇସା ନୁହେଁ ବରଂ ୩ଟଙ୍କା ୯ ପଇସା ଆଡ୍ କରୁଛି । ଏହି ଛୋଟ ପରିବର୍ତ୍ତନରେ କମ୍ପାନୀ ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ କରୁଛି ବୋଲି ଅଭିଯୋଗ ହୋଇଛି । ଏହି ଅତିରିକ୍ତ ଆୟ କମ୍ପାନୀ ଟିକସ ପରେ ହିଁ ସଂଗ୍ରହ କରୁଛି ।