fbpx

ବଡ଼ ଅଘଟଣ: ମାଟି ମାଫିଆଙ୍କ ଆକ୍ରମଣ, ତହସିଲଦାର, RI ଓ କ୍ଲର୍କ ଆହତ, ୩ ଜଣ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଅସାମାଜିକ ବ୍ୟକ୍ତି ତଥା ମାଫିଆମାନେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ଜଙ୍ଗଲ ପରି ପ୍ରତ୍ୟେକ କ୍ଷେତ୍ରରେ ଅନେକ ସମୟରେ ଜାଲିଆତି କାର୍ୟ୍ୟ ଚାଲିଥାଏ । ତେବେ ଏପରି ଅଭିଯୋଗ ଆସିବା ପରେ ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଏହା ରୋକିବାକୁ ପ୍ରୟାସ କରିଥାନ୍ତି । ମାତ୍ର ଦୁଃଖର କଥା ଦୁର୍ନୀତିକୁ ରୋକିବାକୁ ଯାଇ ଅନେକ ସରକାରୀ ଅଧିକାରୀ ମଧ୍ୟ ବଳି ପଡ଼ିଥାନ୍ତି ।

ତେବେ ଏହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ସେଠାରେ ମାଟି ମାଫିଆମାନେ ସିନିୟର ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ମାଟି ମାଫିଆଙ୍କ ଆକ୍ରମଣରେ ଜଣେ ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆରଆଇ) ଓ କିରାଣୀ ଆହତ ହୋଇଛନ୍ତି । ଏବେ ତିନିଜଣ ସରକାରୀ ଅଧିକାରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମରେ ଏହି ଅଘଟଣ ଘଟିଥିଲା ।

ତେବେ ସୂଚନା ମୁତାବକ, ମାଟି ମାଫିଆଙ୍କ ଆକ୍ରମଣରେ ପରଜଙ୍ଗ ତହସିଲଦାର ଶୁଭ୍ର ପଟେଲଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଏଥିସହିତ ପରଜଙ୍ଗ ଆରଆଇ ଆଲୋକ ଲେଙ୍କା ଓ କିରାଣୀ ପ୍ରେମାନନ୍ଦ ବେହେରା ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି । ବେଆଇନ ମାଟି ଖୋଳା ଯାଉଥିବା ଖବର ପାଇବା ପରେ ଏହି ସରକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାହାକୁ ରୋକିବାକୁ ପ୍ରୟାସ କରିଥିଲେ । ମାତ୍ର ଦୁଃଖର କଥା ମାଟି ମାଫିଆମାନେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

କିଛି ଦୁର୍ବୃତ୍ତ ଜେସିବି ଲଗାଇ ମାଟି ଖୋଳୁଥିବା ସମୟରେ ତହସିଲଦାର ରେଡ୍ କରିଥିଲେ । ତେବେ ରେଡ ସମୟର ଫଟୋ ଉଠାଉଥିବା ସମୟରେ ତହସିଲଦାରଙ୍କ ଗାଡ଼ି ଉପରକୁ ଜେସିବି ମେଶିନରେ ଆକ୍ରମଣ କରାଯାଇଥିଲା । ଏଥିସହିତ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହିତ ସାର୍ଟକୁ ମଧ୍ୟ ଘୋଷାଡ଼ି ନେଇଥିଲେ । ଏଥିସହିତ ଆରଆଇ ଓ କ୍ଲର୍କଙ୍କୁ ମଧ୍ୟ ସେମାନେ ଛାଡ଼ି ନଥିଲେ । ଏହି ଆକ୍ରମଣରେ ତହସିଲଦାରଙ୍କ ମୁଣ୍ଡ, ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.