ଡିମେନ୍ସିଆ ହେଉଛି ଏପରି ଏକ ଅବସ୍ଥା ଯାହା ସ୍ମୃତି, ଚିନ୍ତା ଏବଂ ନିଷ୍ପତ୍ତି ନେବା କ୍ଷମତା ପରି ମସ୍ତିଷ୍କ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଅବଶ୍ୟ ବୟସ ବଢ଼ିବା ସହିତ ଏହି ଲକ୍ଷଣଗୁଡିକ ଅତି ସାଧାରଣ, କିନ୍ତୁ କେତେକ ମେଡିସିନ୍ ଏହି ରୋଗର ଆଶଙ୍କା ବଢ଼ାଇପାରେ । ଏଥିମଧ୍ୟରେ କିଛି ସାଧାରଣ ମେଡିସିନ୍ ଅନ୍ତର୍ଭୁକ୍ତ, ଯାହାକୁ ଆମେ ପ୍ରାୟତଃ ବ୍ୟବହାର କରୁ ।
ଯଦିଓ ଏହି ଔଷଧଗୁଡିକ ତୁରନ୍ତ ପ୍ରଭାବରେ ନିରାପଦ ମନେହୁଏ, ଏହାକୁ ଦୀର୍ଘ ସମୟ ଧରି ଗ୍ରହଣ କରିବା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଆସନ୍ତୁ ଜାଣିବା ସେହି ପାଞ୍ଚଟି ସାଧାରଣ ଔଷଧ ଯାହା ଡିମେନ୍ସିଆର କାରଣ ହୋଇପାରେ-
ବେନାଡ୍ରିଲ୍ :-
ବେନାଡ୍ରିଲ୍ ହେଉଛି ଏକ ସାଧାରଣ ଆଣ୍ଟିହାଇଷ୍ଟାମାଇନ୍, ଯାହା ଆଲର୍ଜି ଏବଂ କାଶର ଚିକିତ୍ସାରେ ବ୍ୟବହୃତ ହୁଏ । ତଥାପି, ଏହି ଔଷଧ ମସ୍ତିଷ୍କ ଉପରେ ପ୍ରଭାବ ପକାଇପାରେ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଡିମେନ୍ସିଆର ଆଶଙ୍କା ବଢ଼ାଇପାରେ । ବିଶେଷକରି ବୃଦ୍ଧମାନଙ୍କ କ୍ଷେତ୍ରରେ ଏହା ଏକ ବଡ଼ ବିପଦ ସୃଷ୍ଟି କରିପାରେ ।
ଓପିଓଏଡ୍ :-
ଓପିଓଏଡ୍ ଯେପରିକି ମାର୍ଫିନ୍, କୋଡାଇନ୍, ଏବଂ ହାଇଡ୍ରୋକୋଡୋନ୍ ର ବ୍ୟବହାର ପେନ କିଲର ଭାବରେ କରାଯାଏ । ଏହି ଔଷଧଗୁଡିକର ଦୀର୍ଘକାଳୀନ ଗ୍ରହଣ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ । ଓପିଓଏଡ୍ ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟରକୁ ମଧ୍ୟ ପ୍ରଭାବିତ କରିଥାଏ, ଯାହା ଡିମେନ୍ସିଆର ଆଶଙ୍କା ବଢ଼ାଇପାରେ ।
ଓମେପ୍ରାଜୋଲ୍ :-
ଓମେପ୍ରାଜୋଲ ହେଉଛି ଏକ ପ୍ରୋଟନ୍ ପମ୍ପ ଇନହିବିଟର, ଯାହାକୁ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ (ଜିଇଆରଡି) ପରି ପେଟ ସମସ୍ୟାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହି ଔଷଧ ପେଟରେ ଥିବା ଅମ୍ଳତାକୁ ହ୍ରାସ କରିଥାଏ, କିନ୍ତୁ ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପଡିଥାଏ, ଯାହା ଡିମେନ୍ସିଆର ଆଶଙ୍କା ବଢ଼ାଇଥାଏ ।
ବେଞ୍ଜୋଡିଜେପିନ୍ସ :-
ଚିନ୍ତା ଏବଂ ଅନିଦ୍ରା ଚିକିତ୍ସା ପାଇଁ ଡିଆଜେପାମ (ଭାଲିୟମ୍) ଏବଂ ଆଲପ୍ରାଜୋଲାମ (ଜାନକ୍ସ) ପରି ବେଞ୍ଜୋଡିଜେପିନ୍ ବ୍ୟବହାର କରାଯାଏ । ଯଦିଓ ଏହି ଔଷଧଗୁଡିକ ତୁରନ୍ତ ଆରାମ ପ୍ରଦାନ କରିଥାଏ, ତାହାର ଦୀର୍ଘକାଳୀନ ବ୍ୟବହାର ସ୍ମୃତି ଶକ୍ତି ହ୍ରାସ, ମାନସିକ ବିକୃତି ଏବଂ ଡିମେନ୍ସିଆ ଭଳି ସମସ୍ୟା ସୃଷ୍ଟି କରିପାରେ ।
ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟସ୍ :-
ଏହି ଔଷଧଗୁଡିକ କ୍ରନିକ୍ ଡିପ୍ରେସନ୍ ଏବଂ ଚିନ୍ତାର ଚିକିତ୍ସାରେ ବ୍ୟବହୃତ ହୁଏ । ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଯେପରିକି ଆମିଟ୍ରିପଟାଇନ୍ ଏବଂ ଇମିପ୍ରାମାଇନ୍ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟରକୁ ପ୍ରଭାବିତ କରିଥାଏ । ଦୀର୍ଘ ସମୟ ଧରି ଏହାର ବ୍ୟବହାର ମସ୍ତିଷ୍କକୁ ଦୁର୍ବଳ କରିପାରେ, ଯାହା ଡିମେନ୍ସିଆର ଆଶଙ୍କା ବଢ଼ାଇଥାଏ ।