fbpx

ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ଝଟକା ଦେଲା ତାଲିବାନ, କହିଲା- କାଶ୍ମୀର ମାମଲାରେ ଆମେ ଦଖଲ ଦେବୁ ନାହିଁ

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନିକ ଫେରି ଯାଇଛନ୍ତି । ଏଥିସହ ୧୯ ବର୍ଷ, ୧୦ ମାସ ଓ ୨୫ ଦିନ ପରେ ଅର୍ଥାତ ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଭାବେ ଦଖଲ କରିଛି ତାଲିବାନ । ଆମେରିକା ସୈନିକଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ଗୋଷ୍ଠୀରେ ଉତ୍ସବର ମାହୋଲ ରହିଛି । ପ୍ରାୟ ୨୦ ବର୍ଷ ପରେ କୌଣସି ବିଦେଶୀ ଶକ୍ତିଙ୍କ ବିନା ଉପସ୍ଥିତିରେ ଆଫଗାନିସ୍ତାନରେ ସକାଳ ହୋଇଛି । ଏହା ମଧ୍ୟରେ ତାଲିବାନ ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ଝଟକା ଦେଇଛି । ତାଲିବାନ ସ୍ପଷ୍ଟ ଭାବେ କହିଛି, ସେ କାଶ୍ମୀର ପ୍ରସଙ୍ଗରେ କଦାପି ଦଖଲ ଦେବ ନାହିଁ । ଏଥିସହ ପାକିସ୍ତାନ ସହିତ ତାର ସଂପର୍କ କିପରି ରହିବ ତାଲିବାନ ସ୍ପଷ୍ଟ କରିଛି ।

ସିଏନଏନ-ନ୍ୟୁଜ ୧୮ ସହ ଆଲୋଚନା ବେଳେ ତାଲିବାନୀ ନେତା ଅନସ ହକ୍କାନୀ କହିଛନ୍ତି, ଆମେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବୁ ନାହିଁ । ସେ ଏହା ମଧ୍ୟ କହିଛନ୍ତି, କଶ୍ମୀର ଆମର ଅଧିକାର କ୍ଷେତ୍ରର ଅଂଶ ନୁହେଁ । ଆମେ ଏହି ପରି ହସ୍ତକ୍ଷେପ ନୀତି ବିରୋଧରେ ଅଛୁ । ଆମେ ନିଜ ନୀତି ବିରୋଧରେ କେମିତି ଯାଇ ପାରିବୁ ? ଏଥିପାଇଁ ଏହା ସ୍ପଷ୍ଟ ଯେ, ଆମେ କଶ୍ମୀର ମାମଲାରେ କଦାପି ଦଖଲ ଦେବୁ ନାହିଁ ।

ଭାରତ ସହିତ ସମ୍ବନ୍ଧକୁ ନେଇ ସେ କହିଛନ୍ତି, ଆମେ ଭାରତ ସହିତ ସୁସଂପର୍କ ଚାହୁଁଛୁ । ଆମେ ଚାହୁଁ ନାହିଁ ଯେ, ଆମ ବିଷୟରେ କାହାରି ଭୁଲ ଚିନ୍ତାଧାରା ରହୁ । ଭାରତ ୨୦ ବର୍ଷ ପର୍ଯ୍ୟନ୍ତ ଆମ ଶତ୍ରୁର ସାହାଯ୍ୟ କରିଛି । ତଥାପି ଆମେ ସବୁ କିଛି ଭୁଲି ସଂପର୍କକୁ ଆଗକୁ ବଢାଇବାକୁ ପ୍ରସ୍ତୁତ ।

ହକ୍କାନୀ ନେଟୱର୍କ ପାକିସ୍ତାନୀ ଏଏସଆଇ ଓ ପାକ୍ ସେନା ସହିତ ଜଡିତ ରହିଛି । ଏବେ ଆପଣ ଆଫଗାନିସ୍ତାନ ସରକାରର ଅଂଶ । ଆପଣ ଏହାକୁ କେଉଁ ଦୃଷ୍ଟିରେ ଦେଖିବେ ? ଅନସ ହକ୍କାନୀ କହିଛନ୍ତି, ଆମ ବିଷୟରେ ବହୁ ଲୋକଙ୍କ ଭ୍ରାନ୍ତ ଧାରଣା ରହିଛି । ଆମେ ୨୦ ବର୍ଷ ଧରି ସଂଘର୍ଷ କରିଛୁ । ଆମ ବିଷୟରେ ବହୁତ ନକରାତ୍ମକ ପ୍ରୋପାଗାଣ୍ଡା ରହିଛି । ଏହା ସବୁ ଭୁଲ୍ କଥା । ହକ୍କାନୀ ନେଟୱର୍କ କିଛି ନୁହେଁ । ସମଗ୍ର ଦୁନିଆ ସହ ବିଶେଷ କରି ଭାରତୀୟ ମିଡିଆ ଆମ ବିଷୟରେ ନକରାତ୍ମକ ପ୍ରଚାର କରୁଛି । ଏଥିରେ ମାହୋଲ ଖରାପ ହେଉଥିବା ଅନସ ହକ୍କାନୀ କହିଛନ୍ତି ।

Get real time updates directly on you device, subscribe now.