ଭୀଷଣ ଗରମରେ ବି ଟ୍ରକ ଡ୍ରାଇଭର ରହିବେ କୁଲ ! ଟାଟା ମୋଟର୍ସ ନିଜ ଟ୍ରକ୍ ପାଇଁ ଲଞ୍ଚ କଲା ଏୟାର କଣ୍ଡିସନିଂ(AC) ସିଷ୍ଟମ୍
ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ବାଣିଜ୍ୟିକ ଗାଡ଼ି ନିର୍ମାତା ଟାଟା ମୋଟର୍ସ ତାଙ୍କ ଟ୍ରକ୍ଗୁଡ଼ିକ ପାଇଁ ଫ୍ୟାକ୍ଟ୍ରୀ-ଫିଟେଡ୍ ଏୟାର କଣ୍ଡିସନିଂ (ଏସି) ସିଷ୍ଟମ୍ ଲଞ୍ଚ କରିଛି। ଏହି ନୂଆ ସୁବିଧା ତାତାର SFC, LPT, ଅଲଟ୍ରା, ସିଗ୍ନା ଓ ପ୍ରାଇମା ମଡେଲର କ୍ୟାବିନରେ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ କାଉଲ ମଡେଲରେ ମଧ୍ୟ ଏସି ସୁବିଧା ଯୋଗାଇ ଦିଆଯାଇଛି। ଏହା ସହିତ କମ୍ପାନୀ ପାୱାର ଆଉଟପୁଟ ବୃଦ୍ଧି ଭଳି ଅନ୍ୟ କିଛି ମୂଲ୍ୟଯୁକ୍ତ ଫିଚର ମଧ୍ୟ ପ୍ରକାଶ କରିଛି।
ଏହି ପଦକ୍ଷେପ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଗତ ଡିସେମ୍ବର ୨୦୨୪ରେ ଜାରି ହୋଇଥିବା ଗେଜେଟ ବିଜ୍ଞପ୍ତିକୁ ଆଧାର କରି ନିଆଯାଇଛି। ଏହି ବିଜ୍ଞପ୍ତି ଅନୁସାରେ, ୧ ଅକ୍ଟୋବର ୨୦୨୫ ପରେ ନିର୍ମିତ ସମସ୍ତ N2 ଓ N3 ଶ୍ରେଣୀର ଗାଡ଼ିର କ୍ୟାବିନରେ ଏସି ସିଷ୍ଟମ ଲାଗିବା ବାଧ୍ୟତାମୂଳକ। ଏହି ସିଷ୍ଟମଗୁଡ଼ିକ IS14618:2022 ମାନକ ଅନୁଯାୟୀ ପରୀକ୍ଷିତ ହେବ।
କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ ଗତ ଜୁଲାଇରେ ଏହି ବାଧ୍ୟତାମୂଳକ ଏସି କ୍ୟାବିନ ନିୟମର ଖସଡ଼ାକୁ ଅନୁମୋଦନ କରିଥିଲେ। ସେ ଟ୍ରକ୍ ଡ୍ରାଇଭରମାନଙ୍କ କାର୍ଯ୍ୟ ପରିସ୍ଥିତି ଓ କଲ୍ୟାଣ ଉନ୍ନତି ପାଇଁ ଏହି ନିୟମକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ଟାଟା ମୋଟର୍ସର ଏହି ଉଦ୍ୟମ ତାପମାତ୍ରା ଓ ଆର୍ଦ୍ରତା ଭରା ପାଗରେ ଡ୍ରାଇଭରମାନଙ୍କୁ ଆରାମଦାୟକ ଓ ନିରାପଦ ଡ୍ରାଇଭିଂ ଅଭିଜ୍ଞତା ପ୍ରଦାନ କରିବ।
ଏହା ପୂର୍ବରୁ ଟାଟା ମୋଟର୍ସ ଓ ମାହଲେ କମ୍ପାନୀ ୨୦୧୭ରେ ମିଳିତ ଭାବେ ଏକ ସେକେଣ୍ଡାରୀ ଲୁପ ମୋବାଇଲ ଏୟାର କଣ୍ଡିସନିଂ ସିଷ୍ଟମ (SL-MAC) ବିକଶିତ କରିଥିଲେ। ଏହା ପରିବେଶ ଅନୁକୂଳ ଓ କମ ଗ୍ଲୋବାଲ ୱାର୍ମିଂ ପୋଟେନସିଆଲ (GWP) ରେଫ୍ରିଜରାଣ୍ଟ ବ୍ୟବହାର କରି ଉଚ୍ଚ ଥଣ୍ଡା କ୍ଷମତା ଯୋଗାଇଥାଏ। ଏବେ ଏହି ନୂଆ ଏସି ସିଷ୍ଟମ ସହିତ ଟ୍ରକ୍ ଡ୍ରାଇଭରମାନେ ଦୀର୍ଘ ଯାତ୍ରାରେ ମଧ୍ୟ ଆରାମ ଅନୁଭବ କରିବେ ଓ ନିରାପଦେ ଗାଡ଼ି ଚଳାଇ ପାରିବେ।