fbpx

(Video) ନିଶାରେ ଚୂର ସ୍କୁଲ ମାଷ୍ଟର: ଉତ୍ତର କହିନପାରିବାରୁ ଷ୍ଟିଲ ରଡରେ ପିଲାକୁ ପିଟିଲେ, ପୂର୍ବରୁ ଛାତ୍ରୀଙ୍କୁ ପଢ଼ାଉଥିଲେ ପ୍ରେମପାଠ

କେନ୍ଦୁଝର: ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଉଥିବା ବେଳେ କିଛି ବ୍ୟକ୍ତିଙ୍କ ଯୋଗୁଁ ଏଭଳି ପବିତ୍ର ନାଁରେ କଳଙ୍କ ଲାଗିଯାଉଛି । ଏହାରି ମଧ୍ୟରେ କେନ୍ଦୁଝରରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ । ସ୍କୁଲରେ ଇତିହାସ ପଢ଼ାଉଥିବା ବେଳେ ପିଲାଙ୍କୁ ୬ଟି ଋତୁର ନାଁ ପଚାରିଥିଲେ ମଦନିଶାରେ ଚୂର ଶିକ୍ଷକ । ପିଲାଟି କହିନପାରିବାରୁ ୪ରୁ ୫ ଥର ଷ୍ଟିଲ ରଡରେ ବାଡେଇ ପକାଇଥିଲେ । ସେ କ୍ୟାମେରା ସାମ୍ନାରେ ମଧ୍ୟ ଏସବୁ କଥା ସ୍ୱୀକାର ମଧ୍ୟ କରିଛନ୍ତି ।

ତେବେ ସାରଙ୍କର କିଛି ଦୋଷ ନାହିଁ । ଭୁଲ ଖାଲି ଏତିକି ଯେ, ପ୍ରତ୍ୟେକ ଦିନ ସ୍କୁଲକୁ ଆସିବା ପୂର୍ବରୁ ସାର ଟିକିଏ ନାଲି ପାଣି ମାରିକି ଆସନ୍ତି । ଆଉ ତା ପରେ ସେ କଣ କରୁଛନ୍ତି, ତାଙ୍କର ହୋସ୍ ରୁହେନି । ଏଥର କିନ୍ତୁ ସାର ନିଶାରେ ଏମିତି କିଛି କରିଲେ, ଯାହା ପାଇଁ ଆଜି ସେ ନିଜେ ହିଁ ଭୁଲକୁ ମାନି ନେଉଛନ୍ତି । ଶିକ୍ଷକ କହିଛନ୍ତି ଯେ, ‘ଏହି ଅଧ୍ୟକ୍ଷ, ମୁଁ ଟିକେ ପିଇଦେଇଛି । ହିଷ୍ଟ୍ରି ପଢାଇଲାବେଳେ ୬ଟି ଋତୁର ନାମ ପଚାରିଲି, ଛୁଆଟି କହି ନପାରିବାରୁ ଷ୍ଟିଲ ରଡ଼ରେ ବାଡେଇଲି ।’ ଏ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଅଧ୍ୟକ୍ଷ । ଏହି ମହାଶୟ ଜଣକ ପୁର୍ବରୁ ଛାତ୍ରୀ ମାନଙ୍କୁ ପ୍ରେମ ପାଠ ପଢ଼ାଉଥିବା ନେଇ ମଧ୍ୟ ଗତ ୧୨ତାରିଖରେ ଛାତ୍ରୀମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରପାଳର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ । ସେ ନିୟମିତ ମଦ୍ୟପାନ କରି ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ କରନ୍ତି । ଏପରିକି ବାବୁ ଅଧିକାଂଶ ସମୟରେ ବିଦ୍ୟାଳୟକୁ ଆସନ୍ତିନି । ଆଉ ବାବୁ ଜଣଙ୍କ ଏଠାରେ ପିଲାଙ୍କୁ ପାଠ ପଢାଇବା ସହ ପିଲାଙ୍କୁ ପ୍ରେମ ଶିକ୍ଷା ବି ଦେଇଥାନ୍ତି ।

ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ସେ ନବମ ଶ୍ରେଣୀର ହୋଇଥିବାବେଳେ କିପରି ଝିଅଙ୍କୁ ଲାଇନ ମାରୁଥିଲେ ସେନେଇ ଛାତ୍ରୀମାନଙ୍କୁ ବୁଝାନ୍ତି । ଏନେଇ ଛାତ୍ରୀମାନେ ଗତ ଅଗଷ୍ଟ ୧୨ତାରିଖ ଦିନ ବିଡିଓଙ୍କ ନିକଟରେ ଅଭିଯୋଗ କରିବାପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖ ପୂର୍ବରୁ ଏହି ଘଟଣାର ତଦନ୍ତ କରି ଫେରି ଯାଇଥିଲେ । ଗତକାଲି ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିଶାଶକ୍ତ ଅବସ୍ଥାରେ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଆଦିବାସୀ ଛାତ୍ର ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଫଳରେ ନିଶାରେ ଚୁର ଥିବା ଅଧ୍ୟକ୍ଷ ଜଣକ ଏକ ଲୁହା ପାଇପରେ କୁନି ଛାତ୍ର ଜଣକୁ ପିଟିଥିଲେ ।

ଛାତ୍ରଟି ପ୍ରବଳ କନ୍ଦାକଟା କରିବାରୁ ଅନ୍ୟ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ନିଜ ନିଜର ଅଭିଭାବକ ମାନଙ୍କୁ ଜଣାଇଥିଲେ । ଏପରିକି ଗତକାଲି ଦିନ ୧୦ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସେ ୬ଷ୍ଠ ଶ୍ରେଣୀରେ ନିଜେ ବସିରହିବା ସହିତ କୌଣସି ଛାତ୍ରଛାତ୍ରୀଙ୍କୁ ବାହାରକୁ ଛାଡି ନଥିଲେ । ଛାତ୍ରଛାତ୍ରୀ ମାନେ ଭୋକ ଉପାସରେ ରହିବା ସହ ଦିନ ଦୁଇଟା ପରେ ଯାଇ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଆଜି କିଛି ଅଭିଭାବକ ବିଦ୍ୟାଳୟକୁ ଯାଇ ଘଟଣାର ସତ୍ୟତା ଜାଣିବା ସହିତ ଅଧ୍ୟକ୍ଷ ଜଣକ ନିଶାଶକ୍ତ ଅବସ୍ଥାରେ ଚାଲିପାରୁ ନଥିବା ଦେଖିବାକୁ ପାଇଥିଲେ ।

ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବିଡିଓ ବିଚିତ୍ର କୁମାର କର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ମାଡ ଖାଇଥିବା ଛାତ୍ରଙ୍କୁ ପଚରା ଉଚୁରା କରିବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରିଥିଲେ । ଶିକ୍ଷକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀ ଅଧିକାରୀଙ୍କ ସମ୍ମୁଖରେ ବଖାଣିଥିଲେ । ଉପଜିଲ୍ଲାପାଳ ଅଧ୍ୟକ୍ଷଙ୍କୁ ପଚାରିବାରେ ସେ ମଦ ପିଇବା ଘଟଣାକୁ ସ୍ୱୀକାର କରିବା ସହିତ ଛାତ୍ର ଜଣକୁ ଏକ ଷ୍ଟିଲ ପାଇପରେ ପିଟିଥିବା ସ୍ୱୀକାର କରିଥିଲେ ।

Get real time updates directly on you device, subscribe now.