fbpx

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗଣଶିକ୍ଷକଙ୍କ ଦରମା ବଢ଼ିଲା, ଉପକୃତ ହେବେ ୧୨ ହଜାରରୁ ଅଧିକ ଗଣଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛି ମାସ ମଧ୍ୟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କର ଦରମା ବୃଦ୍ଧି ଘୋଷଣା କରାଯାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ କାର୍ଯ୍ୟରତ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାସ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଇଟିଇଟି ପାସ କରିଥିବା ଏକ୍ସ କ୍ୟାଡର ସହକାରୀ ଶିକ୍ଷକମାନେ ବାର୍ଷିକ ଉନକ୍ରିମେଣ୍ଟ ପାଇବେ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଗଣଶିକ୍ଷକମାନେ ଏଥିପାଇଁ ଅନୁରୋଧ କରିଥିଲେ । ତେଣୁ ଉକ୍ତ ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଓଟିଇଟି ପାସ କରିଥିବା ଗଣଶିକ୍ଷକମାନଙ୍କୁ ଏମ.ଇଡ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରଯିବ । ଏହାଦ୍ୱାରା ରାଜ୍ୟର ୧୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାରକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେବେ । ଯେଉଁ ସହକାରୀ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁନାହିଁ ସେମାନଙ୍କ ମଧ୍ୟରୁ ଓଟିଇଟି ପାସ୍ କରିଥିବା ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ଜଣ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଉପକୃତ ହେବେ ।

Get real time updates directly on you device, subscribe now.