fbpx

ଫର୍ମକୁ ଫେରିଲେ କିଙ୍ଗ କୋହଲି: ହଂକଂକୁ ୧୯୩ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିଙ୍ଗ ବିରାଟ କୋହଲି ଫର୍ମରୁ ଫେରିଛନ୍ତି । ଏସିଆ କପର ଗ୍ରୁପ-ଏ’ର ହଂକଂ ବିପକ୍ଷ ମ୍ୟାଚରେ ବିରାଟ ନିଜର ଯାଦୁ ଦେଖାଇଛନ୍ତି । ବିରାଟ (୫୯) ଓ ସୂର୍ଯ୍ୟକୁମାର ଯାଦବ (୬୮) ରନ୍ କରି ଅପରାଜିତ ଥିଲେ । ପୂର୍ବରୁ ରୋହିତ ଶର୍ମା ୨୧ ଓ କେଏଲ ରାହୁଲ ୩୬ ରନର ଇନିଂସ ଖେଳିଥିଲେ । ଫଳରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଦୁଇଟି ୱିକେଟ ହରାଇ ୧୯୨ ରନର ପାହାଡ଼ ଛିଡ଼ା କରିବାରେ ସକ୍ଷମ ହୋଇଥିଲା ।

ହଂକଂର ଦୁର୍ବଳ ବୋଲିଂ ଫାଇଦା ଉଠାଇଥିଲେ ଭାରତୀୟ ଧୁରନ୍ଧରମାନେ । ହଂକଂ ପକ୍ଷରୁ ମହମ୍ମଦ ଘଜନଫାର ଓ ଆୟୁଷ ଶୁକ୍ଲା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ହଂକଂ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆଜି ବିରାଟ ଟି-୨୦ରେ ନିଜର ୩୧ତମ ଅର୍ଦ୍ଧଶତକ ହାସଲ କରି ଏକ ରେକର୍ଡ କରିଥିଲେ । ଦୀର୍ଘଦିନ ଧରି ବିରାଟଙ୍କ ଦୁର୍ବଳ ଫର୍ମକୁ ନେଇ ଫ୍ୟାନ୍ସଙ୍କ ମନରେ ନିରାଶା ଭାବ ଦେଖାଦେଇଥିଲା । ଆଜିର ପ୍ରଦର୍ଶନ ପରେ ସମସ୍ତେ ବିରାଟଙ୍କୁ ‘କିଙ୍ଗ ରିଟର୍ଣ୍ଣସ’ କହୁଥିବା ଦେଖାଯାଇଛି ।

ଏସିଆ କପରେ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଉକ୍ତ ମ୍ୟାଚରେ ବିରାଟ ୩୫ ରନର ପାଳି ଖେଳିଥିଲେ । ଗତ ୨୦୧୯ରେ ବିରାଟ ନିଜର ଶେଷ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଏହା ମଧ୍ୟରେ ଦୀର୍ଘ ୩ ବର୍ଷ ବିତିଗଲାଣି, ମାତ୍ର ବିରାଟ ଗୋଟିଏ ହେଲେ ବି ଶତକ ହାସଲ କରିପାରି ନାହାନ୍ତି । ବିରାଟଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ବିଭିନ୍ନ ମହଲରୁ ବିରୋଧାଭାସ ଦେଖିବାକୁ ମିଳିଥିଲା । ମାତ୍ର ବିରାଟ ଜଣେ ଉଚ୍ଚକୋଟୀର ଖେଳାଳି, ତାଙ୍କର କ୍ୱାଲିଟି ଉପରେ ଭରସା ରହିଥିବା ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.