୧୨ଟି ପେନାଲ୍ଟି କର୍ଣ୍ଣର ମିଳିଲା, ଗୋଟିଏ ବି ଗୋଲ ନାହିଁ: ଜୁନିୟର ହକି ବିଶ୍ୱକପ ସେମିରେ ଭାରତର ପରାଜୟ

ନୂଆଦିଲ୍ଲୀ: ଜୁନିୟର ବିଶ୍ୱକପ ହକିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅନ୍ୟପକ୍ଷରେ ପ୍ରତିପକ୍ଷ ଜର୍ମାନୀ ୪-୧ ଗୋଲରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ଭାରତକୁ ୧୨ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ହେଁ ସେଥିମଧ୍ୟରୁ ଗୋଟିଏ ବି ଗୋଲ ହୋଇ ପାରିନଥିଲା । ଫଳରେ ଭାରତୀୟ ଖେଳାଳିଙ୍କର ଖରାପ ପ୍ରଦର୍ଶନ କାରଣରୁ ଦଳ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି ।

ମାଲେଶିଆର କ୍ୱାଲାଲାମ୍ପୁରଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଜର୍ମାନୀ ଠାରୁ ପରାସ୍ତ ହୋଇ ଫାଇନାଲରୁ ବଞ୍ଚିତ ହୋଇଛି । ତେବେ ଭାରତ ଏବେ ଏହି ଟୁର୍ଣ୍ଣାମେଣ୍ଟର ବ୍ରୋଞ୍ଜ ପଦକ ପାଇଁ ୧୬ ତାରିଖରେ ସ୍ପେନକୁ ଭେଟିବ । ତେବେ ଏହି ପରାଜୟ ପାଇଁ ଭାରତୀୟ ଖେଳାଳିଙ୍କ ଦୁର୍ବଳ ପ୍ରଦର୍ଶନ ଦାୟୀ । ଦଳକୁ ଗୋଟିଏ କି ଦୁଇଟି ନୁହେଁ ୧୨ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ମାତ୍ର ଭାରତ ସେଥିମଧ୍ୟରୁ ଗୋଟିଏ ବି ଗୋଲ ସ୍କୋର କରିବାରେ ଅକ୍ଷମ ହୋଇଥିଲା । ଏହା ଦଳର ପରାଜୟର କାରଣ ସାଜିଥିଲା ।

୪ଟି କ୍ୱାର୍ଟରରେ ଜର୍ମାନୀ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଚିରମାକୋ ସୁଦୀପ କରିଥିଲେ । ଜର୍ମାନୀ ୮ତମ, ୩୦ତମ ଓ ୪୧ତମ ମିନିଟରେ ଗୋଲ ସ୍କୋର କରିଥିବା ବେଳେ ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଆଉ ଏକ ଗୋଲ ସ୍କୋର କରିଥିଲା । ପ୍ରଥମ କ୍ୱାର୍ଟରରେ ମ୍ୟାଚ ବରାବର ରହିଥିଲା । ପ୍ରଥମ କ୍ୱାର୍ଟରରେ ଭାରତକୁ ୪ଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ପରବର୍ତ୍ତୀ କ୍ୱାର୍ଟରରେ ୬ଟି ମିଳିଥିଲା । ଗତ ୧୨ ତାରିଖରେ ଭାରତ ନେଦରଲାଣ୍ଡସକୁ ୪-୩ରେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା ।