ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ! ୨୩ ବର୍ଷ ପରେ ଟେଷ୍ଟ ଇତିହାସରେ ପ୍ରଥମ ଘଟଣା, ଦ୍ୱିତୀୟ ଟେଷ୍ଟ ବି ହାତଛଡ଼ା କରିପାରେ ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଟିମ୍ ପ୍ରଥମ ଟେଷ୍ଟର ପ୍ରଥମ ଇନିଂରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା । ତେବେ ପ୍ରଥମ ଟେଷ୍ଟରୁ କିଛି ବି ଶିଖି ପାରିଲାନି ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ । ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ୩୦୧ ରନରେ ଅଗ୍ରଣୀ ଲାଭ କରିଥିବା ବେଳେ ଆହୁରି ଖେଳ ଦିନ ବାକି ଅଛି । ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ୫ ୱିକେଟ ହରାଇ ୧୯୮ ରନ୍ ସଂଗ୍ରହ କରି ବଡ଼ ମଜବୁତ ସ୍ଥିତିରେ ରହିଛି । ତେଣୁ ଦ୍ୱିତୀୟ ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିପାରେ । କେବଳ ବ୍ୟାଟିରେ ଏହି ମ୍ୟାଚକୁ ଡ୍ର କରିବା ବା ବିଜୟୀ ହେବା ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପାରେ ।

ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୨୫୯ ରନରେ ଅଲଆଉଟ୍ ହୋଇଯାଇଥିବା ବେଳେ ଭାରତ ମାତ୍ର ୧୫୬ ରନରେ ସୀମିତ ରହିଯାଇଥିଲା । ନ୍ୟୁଜିଲାଣ୍ଡ ବୋଲର ଅତୀତରେ ଭାରତ ପାଇଁ କାଳ ସାଜିଥିବା ବେଳେ ଏଥର ମଧ୍ୟ ୭ଟି ୱିକେଟ ଅକ୍ତିଆର କରି ଭାରତର ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ । ରୋହିତ ଶର୍ମା ଶୂନ ରନରେ ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ୧ ରନରେ ପାଭିଲିୟନ ଫେରିଥିଲେ । ତେବେ ଏହି ଟେଷ୍ଟରେ ଭାରତ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି । ୨୩ ବର୍ଷ ପରେ ଭାରତର ଟେଷ୍ଟ ଇତିହାସରେ ଏପରି ଘଟିଛି । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୧୦୩ ରନରେ ଅଗ୍ରଣୀ ହେବା ଫଳରେ ଘରୋଇ ଟେଷ୍ଟରେ କୌଣସି ବିଦେଶୀ ଟିମ୍ ପ୍ରଥମ ଥର ୧୦୦ରୁ ଅଧିକ ରନରେ ଆଗୁଆ ରହିପାରିଛି । ଏହା ପୂର୍ବରୁ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟରେ ଏପରି ଘଟିଥିଲା । ତେବେ କୋଲକତା ଟେଷ୍ଟରେ ଅଷ୍ଟ୍ରେଲିଆ ୨୭୪ ରନରେ ଆଗୁଆ ରହିଥିଲେ ହେଁ ଭାରତ ପ୍ରତ୍ୟାବର୍ତ୍ତନ କରି ଭିଭିଏସ ଲକ୍ଷ୍ମଣଙ୍କ ୨୮୧ ରନ ଓ ରାହୁଲ ଦ୍ରାବିଡ଼ଙ୍କ ୧୮୦ ରନ ସହାୟତାରେ ଭାରତ ଉକ୍ତ ମ୍ୟାଚରେ ବିଜୟୀ ହୋଇଥିଲା ।