fbpx

ICC ରାଙ୍କିଂରେ ନମ୍ବର-୧ ସ୍ଥାନକୁ ଫେରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ପରେ ଟି-୨୦ରେ ସିରିଜ ହାତେଇଛି । ଗତକାଲି ଭାରତ ୱେଷ୍ଟଇଣ୍ଡିଜକୁ ୧୭ ରନରେ ପରାସ୍ତ କରି ୩-୦ରେ ସିରିଜ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୮୫ ରନର ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ୯ ୱିକେଟ ହରାଇ ୧୬୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ତେବେ ଟିମ୍ ଇଣ୍ଡିଆର ଏହି ଶାନଦାର ପ୍ରଦର୍ଶନ ଫଳରେ ଦଳ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ରାଙ୍କିଂରେ ନମ୍ବର-୧ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି । ଚଳିତ ସିରିଜର ଆରମ୍ଭ ପୂର୍ବରୁ ଭାରତ ୨୬୮ ରେଟିଂ ସହ ଦୁଇ ନମ୍ବରରେ ରହିଥିଲା । ଇଂଲଣ୍ଡ ୨୬୯ ରେଟିଂ ସହ ଏକ ନମ୍ବରରେ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଭାରତ ତିନିଟି ଯାକ ମ୍ୟାଚ ଜିତିବା ପରେ ଏକ ନମ୍ବର ଆସନରେ ବସିବାରେ ସକ୍ଷମ ହୋଇଛି ।

ରୋହିତ ଭାରତୀୟ ଦଳର ଫୁଲ୍ ଟାଇମ୍ ଅଧିନାୟକ ନିଯୁକ୍ତ ହେବା ପରେ ନିଶ୍ଚିତ ଭାବେ ତାଙ୍କ ପାଇଁ ଏହା ଏକ ଶୁଭ ମୁହୂର୍ତ୍ତ । ବିରାଟ କୋହଲି ଅଧିନାୟକ ପଦରୁ ଓହରିବା ପରେ ରୋହିତଙ୍କ ଦଳ ପରିଚାଳନା ନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଥିଲା । ରୋହିତ ଯେ ଦଳକୁ ସଠିକ୍ ଦିଗରେ ନେଇପାରିବେ, ଏହା ସେ ପ୍ରମାଣିତ କରିସାରିଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ୍ କ୍ଲିନ୍ ସ୍ୱିପ୍ କରିବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.