fbpx

Champions Trophy-2025 ରୁ ବାଦ୍ ପଡ଼ିବ ଟିମ ଇଣ୍ଡିଆ! ପାକିସ୍ତାନ ମିଡିଆ ତରଫରୁ ଦାବି

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ । ଆଇସିସିର ଏହି ବଡ଼ ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ଦମଦାର ପ୍ରସ୍ତୁତି ଜାରି ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଆସନ୍ତାବର୍ଷ ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚମ୍ପିଆନ୍ସ ଟ୍ରଫି-୨୦୨୫ ଅନୁଷ୍ଠିତ ହେବ । କିନ୍ତୁ ଭାରତୀୟ ଦଳ ଏହି ଇଭେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ଆଲୋଚନା ହେଉଛି । ତେବେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ନେଇ ଏକ ପାକିସ୍ତାନ ମିଡିଆ ଦାବି କରିଛି ।

ଚମ୍ପିଆନ୍ସ ଟ୍ରଫି-୨୦୨୫ ପାଇଁ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ବହୁତ କମ୍ । ଏହି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ହାଇବ୍ରିଡ ମଡେଲରେ ଆୟୋଜନ କରିବାକୁ ଜିଦ୍ ଧରିପାରେ ବିସିସିଆଇ । ଗତବର୍ଷର ଏସିଆ କପ୍ ପରି ଏହି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ପାକିସ୍ତାନ ବାହାରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ଏ ନେଇ ଏକ ପାକିସ୍ତାନ ମିଡିଆ କହିଛି ଯେ, ସମ୍ପୁର୍ଣ୍ଣ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ହିଁ ଆୟୋଜନ ହେବା ଉଚିତ୍ । ତେବେ ଭାରତ ଯଦି ପାକିସ୍ତାନ ଗସ୍ତ ନ କରି ଟୁର୍ଣ୍ଣାମେଣ୍ଟରୁ ବାହାରିବାକୁ ଚାହୁଁଛି, ତେବେ ଶ୍ରୀଲଙ୍କା ଏହି ସ୍ଥାନ ନେବ । ତେଣୁ ଶ୍ରୀଲଙ୍କା ବର୍ତ୍ତମାନ ଆଇସିସି ତରଫରୁ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛି ।

ଚମ୍ପିଆନ୍ସ ଟ୍ରଫିରେ ୮ଟି ଦଳ ଭାଗ ନେବ । ତେଣୁ ୨୦୨୩ ଦିନିକିଆ ବିଶ୍ୱକପରେ ସୁପର-୮ରେ ପହଞ୍ଚିଥିବା ଦଳଗୁଡ଼ିକୁ ଏହି ଟୁର୍ଣ୍ଣାମେଣ୍ଟରେ ସୁଯୋଗ ମିଳିପାରିବ । ତେବେ ଶ୍ରୀଲଙ୍କା ଏଥିରୁ ବାଦ୍ ପଡ଼ିଥିବା ବେଳେ ଭାରତ ଏଥିରୁ ଦୂରେଇ ଗଲେ, ଏକ ନୂଆ ଦଳ ଏଥିରେ ସୁଯୋଗ ପାଇବ । ଆଇସିସିର ରାଙ୍କିଙ୍ଗ ଅନୁସାରେ ଏହି ତାଲିକାର ଶୀର୍ଷରେ ରହିଛି ଶ୍ରୀଲଙ୍କା ।

Get real time updates directly on you device, subscribe now.