fbpx

ତ୍ରିମୂର୍ତ୍ତିଙ୍କ ବିନା ଦ୍ୱିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ: ସହଜ ହେବନି ଇଂଲଣ୍ଡ ବିପକ୍ଷ ମ୍ୟାଚ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରି ନେଇଛି ଅତିଥି ଦଳ । ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଭାରତକୁ ୨୨ ରନରେ ମାତ୍ ଦେଇ ବିଜୟ ହାସଲ କରିଛି ଇଂଲଣ୍ଡ । ତେବେ ଏହି ପରାଜୟ ସହ ଭାରତୀୟ ଦଳକୁ ଆଉ ଦୁଇଟି ଝଟକା ମଧ୍ୟ ଲାଗିଛି । ଷ୍ଟାର ବ୍ୟାଟର କେ.ଏଲ ରାହୁଲ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ସମସ୍ୟା କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି । ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ମଧ୍ୟ ଦଳରୁ ବାଦ୍ ପଡ଼ିଥିଲେ । ତେଣୁ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟରେ ପ୍ଲେଇଙ୍ଗ-୧୧କୁ ନେଇ ରୋହିତଙ୍କ ଚିନ୍ତା ବଢିଯାଇଛି ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତ ଶକ୍ତିହୀନ ମନେ ହେଉଛି । ଷ୍ଟାର କ୍ରିକେଟରମାନଙ୍କ ବିନା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓହ୍ଲାଇବ ରୋହିତ ସେନା । ସିରିଜ ପୂର୍ବରୁ ବିରାଟ କୋହଲି ଦଳରୁ ବାଦ୍ ପଡ଼ିଥିବା ବେଳେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ରାହୁଲ ଏବଂ ଜାଡେଜା ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟ ଭାରତ ପାଇଁ ଏତେ ସହଜ ହେବନାହିଁ ବୋଲି ଅନୁମାନ କରାଯାଉଛି । ପ୍ରଥମ ମ୍ୟାଚରେ ପରାଜୟ ମିଳିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଷ୍ଟାର କ୍ରିକେଟରଙ୍କ ଅନୁପସ୍ଥିତି ରୋହିତଙ୍କୁ ଚିନ୍ତାରେ ପକାଇ ଦେଇଛି । ଦ୍ୱିତୀୟ ମ୍ୟାଚରେ ଏହି ଖେଳାଳିଙ୍କୁ ମିସ୍ କରିବ ଟିମ ଇଣ୍ଡିଆ ।

ବିରାଟ କୋହଲି: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଅଚାନକ ବିରାଟ କୋହଲି ପ୍ରଥମ ୨ଟି ମ୍ୟାଚ ନ ଖେଳିବା ପାଇଁ ଅନୁରୋଧ କରିଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପ୍ରଥମ ୨ଟି ମ୍ୟାଚରୁ ବ୍ରେକ ନେଇ ସାରିଛନ୍ତି । ତେଣୁ ଦ୍ୱିତୀୟ ମ୍ୟାଚରେ ସେ ଦଳ ସହ ସାମିଲ ହୋଇପାରିବେ ନାହିଁ ।

ରବିନ୍ଦ୍ର ଜାଡେଜା: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବୋଲିଂରେ ମଧ୍ୟ କମାଲ କରିଛନ୍ତି ଜାଡେଜା । କିନ୍ତୁ ଆହତ ସମସ୍ୟା କାରଣରୁ ସେ ବର୍ତ୍ତମାନ ସିରିଜରୁ ବାଦ୍ ପଡ଼ିଛନ୍ତି । ତେଣୁ ଦ୍ୱିତୀୟ ମ୍ୟାଚରେ ରୋହିତ ସେନା ତାଙ୍କ ବ୍ୟତୀତ ମଇଦାନକୁ ଓହ୍ଲାଇବ ।

କେ.ଏଲ ରାହୁଲ: ରାହୁଲ ମଧ୍ୟ ପ୍ରଥମ ଟେଷ୍ଟରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ତାଙ୍କର ଅର୍ଦ୍ଧଶତକୀୟ ପାଳି ଭାରତକୁ ୪୦୦ ରନ୍ ପାର୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଦ୍ୱିତୀୟ ଇନିଂସ ସମୟରେ ସେ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବିସିସିଆଇ ସରଫରାଜଙ୍କୁ ଏହି ସିରିଜରେ ସାମିଲ କରିଛି ।

ତେବେ ଦ୍ୱିତୀୟ ଟେଷ୍ଟ ଏହି ତ୍ରିମୂର୍ତ୍ତିଙ୍କ ଅନୁପସ୍ଥିତି ଯୋଗୁଁ ଭାରତର ଅନ୍ୟ ଖେଳାଳିମାନଙ୍କ ଉପରେ ବିଜୟର ଦାୟିତ୍ୱ ରହିବ ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍/ରଜତ ପଟିଦାର, ଶ୍ରେୟସ ଆୟର, ସରଫରାଜ ଖାନ, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର/କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ।

Get real time updates directly on you device, subscribe now.