fbpx

ଆଜିଠୁ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ଲଢେଇ, କ’ଣ ରହିବ Playing-11?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜିଠାରୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ରୋହିତ ସେନା ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଆୟରଲାଣ୍ଡକୁ ଏକ ଦୁର୍ବଳ ଦଳ କୁହାଯାଉଥିଲେ ମଧ୍ୟ ଟିମ ଇଣ୍ଡିଆକୁ ସାବଧାନ ରହିବାକୁ ହେବ । ବିଶ୍ୱକପ ଆମେରିକାରେ ଖେଳାଯାଉଛି, ତେଣୁ ସେଠାକାର ପରିସ୍ଥିତି, ପାଣିପାଗ ଏବଂ ପିଚ୍ ଦଳ ପାଇଁ ଚାଲେଞ୍ଜିଂ ରହିବ । ତେଣୁ ଆୟରଲାଣ୍ଡକୁ ମାତ୍ ଦେଇ ଭାରତ ଯାତ୍ରା ଆରମ୍ଭ କରିବା ସହ ଲିଡ୍ ରଖିବା ପାଇଁ ଚେଷ୍ଟା କରିବ । ତେବେ ଆୟରଲାଣ୍ଡ ବିପକ୍ଷରେ କ’ଣ ରହିବ ରୋହିତଙ୍କ ପ୍ଲେଇଙ୍ଗ-୧୧?

ଆମେରିକାରେ ମ୍ୟାଚ ଖେଳିବାରେ ଭାରତର ଖୁବ କମ୍ ଅଭିଜ୍ଞତା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚରେ ବ୍ୟାଟରମାନଙ୍କୁ ସଂଘର୍ଷ କରୁଥିବାର ଦେଖାଯାଇଛି । ତେଣୁ କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ନିଜ ବ୍ୟାଟିଂ ବିଭାଗ ଉପରେ ବିଶେଷ ଗୁରୁତ୍ୱ ଦେଇପାରନ୍ତି । ବିଶେଷ କରି ମଧ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ କରିପାରନ୍ତି ରୋହିତ ଶର୍ମା । ତେଣୁ ଦଳରେ ଷ୍ଟାର ଅଲରାଉଣ୍ଡର ଶିବମ ଦୁବେଙ୍କୁ ସୁଯୋଗ ଦିଆ ଯାଇପାରେ । ତେବେ ଶିବମ ଦୁବେଙ୍କୁ ଦଳରେ ସୁଯୋଗ ଦେବାର ଅର୍ଥ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲଙ୍କୁ ବାଦ୍ ଦେଇପାରନ୍ତି ରୋହିତ ।

ତେବେ ଜଏସ୍ୱାଲଙ୍କ ସ୍ଥାନରେ ବିରାଟ କୋହଲି ରୋହିତଙ୍କ ସହ ଓପନିଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି ହେଲେ ରୋହିତଙ୍କ ଉପରେ ଦାୟିତ୍ୱ ଅଧିକ ରହିବ । ପାୱାରପ୍ଲେ ଓଭରରେ ବଡ଼ ଶଟ୍ ଖେଳିବା ପାଇଁ ରୋହିତପ୍ରମୁଖ ଭୂମିକା ତୁଲାଇବେ । କାରଣ ବିରାଟ ଅଧିକାଂଶ ସମୟରେ ଠିଆ ହୋଇ ବଡ଼ ଇନିଂସ ଖେଳିବା ପାଇଁ ପ୍ରୟାସ କରନ୍ତି । ତେବେ ଷ୍ଟାର ଉପ-ଅଧିନାୟକ ଜଶପ୍ରୀତ ବୁମରାହଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବେ । ତାଙ୍କ ସହିତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ ଏବଂ କୁଳଦୀପ ଯାଦବ ସ୍ପିନ ବିଭାଗରେ ଟିମ ଇଣ୍ଡିଆକୁ ବିଜୟ ଦେଇପାରନ୍ତି ।

ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ

Get real time updates directly on you device, subscribe now.