ବିଶାଖାପଟ୍ଟନମ: ଭାରତ ପାଇଁ କର ବା ମର ପରିସ୍ଥିତିରେ ଛିଡା ହୋଇଛି ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ । ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଏବେ ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଏଥିପାଇଁ ଆଜିର ମ୍ୟାଚେ ଭାରତ ପାଇଁ କର ବା ମର ପରିସ୍ଥିତିରେ ରହିଛି । ଆଜିର ମ୍ୟାଚ ହାରିଲେ ହାତରୁ ସିରିଜ ଖସିଯିବ । ତେଣୁ ଆଜିର ମ୍ୟାଚ ଜିତିବା ପାଇଁ ଅପ୍ରାଣ ଚେଷ୍ଟା କରିବ ମେନ ଇନ ବ୍ଲୁ ।
ଆଜି ବିଶାଖାପଟ୍ଟନମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ ମ୍ୟାଚ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ ହାତଛଡା କରିଛି ଭାରତ । ତେଣୁ ଆଜିର ତୃତୀୟ ମ୍ୟାଚରେ ବିଜୟ ହାସଲ କରିବା ନିହାତି ଆବଶ୍ୟକ ହୋଇ ପଡିଛି । ତେଣୁ ଏହି ମ୍ୟାଚରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଦଳରେ ଭଲ ପ୍ରଦର୍ଶନ କରି ପାରୁନଥିବା କିଛି ଖେଳାଳିଙ୍କୁ ଡଗ ଆଉଟର ରାସ୍ତା ଦେଖାଇପାରନ୍ତି ହେଡ କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ଋଷଭ ପନ୍ତ । ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଅଲରାଉଣ୍ଡର ଅକ୍ଷର ପଟେଲ । ଉଭୟ ମ୍ୟାଚରେ ବିଫଳ ହୋଇଥିବା ଅକ୍ସରଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ସ୍ଥାନ ଦିଆଯାଇପାରେ । ତାଙ୍କ ବ୍ୟତୀତ ଦ୍ରୁତ ବୋଲର ଆବେଶ ଖାନଙ୍କ ପରିବର୍ତ୍ତେ ସ୍ପିନ ବୋଲର ରବି ବିଷ୍ଣୋଇଙ୍କୁ ଦଳରେ ସାମିଲ କରିପାରନ୍ତି ପନ୍ତ ।
ଆଜିର ମ୍ୟାଚ କଡା ସଂଘର୍ଷ ହେବା ସହିତ ଖୁବ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିବ । ଗୋଟିଏ ପଟେ ସାଉଥ ଆଫ୍ରିକା ଏହି ମ୍ୟାଚ ସହ ସିରିଜକୁ ହାତମୁଠାରେ କରିବା ଲକ୍ଷ୍ୟରେ ଖେଳିବ ଏବଂ ଅନ୍ୟପକ୍ଷରେ ଏହି ମ୍ୟାଚରୁ ପ୍ରତ୍ୟାବାର୍ତ୍ତନ କରିବାକୁ ଭାରତ ଚେଷ୍ଟା କରିବ । ଏହି ମ୍ୟାଚରେ ବିଜୟ ଭାରତକୁ ସିରିଜରେ ବଞ୍ଚାଇ ରଖିପାରିବ । ଏମିତି ରହିପାରେ ପ୍ଲେଇଙ୍ଗ ୧୧:
ଇଶାନ କିଶାନ, ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ଋଷଭ ପନ୍ତ(ଅଧିନାୟକ/ୱିକେଟ କିପର),ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ