୧୦ ଟଙ୍କାର ପାଣିକୁ ୧୦ ଗୁଣା ଅଧିକ ଦରରେ ବିକୁଛି Zomato… ପୋଷ୍ଟ ଭାଇରାଲ ପରେ ସୋସିଆଲ ମିଡିଆରେ ମାଗିଲା କ୍ଷମା

ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ ଅନଲାଇନରେ କାରବାର ବଢ଼ିଚାଲିଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାଠାରୁ ଆରମ୍ଭ କରି ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାର୍ଯ୍ୟ ଘରେ ବସି ଲୋକେ ଅନଲାଇନରେ ଅର୍ଡର କରିବା ଆରମ୍ଭ କରୁଛନ୍ତି । ଯାହାପାଇଁ ଅନଲାଇନ ଅର୍ଡର ଏବେ ଟ୍ରେଣ୍ଡ ପାଲଟିଛି । ଏଥିସହ ଠକେଇ ମଧ୍ୟ ଅନଲାଇନରେ ଅଧିକ ଦେଖିବାକୁ ମିଳୁଛି । ଘରେ ବସି ଖାଇବା ଅର୍ଡର କରିବା ପାଇଁ ଜୋମାଟୋ ଏବଂ ସ୍ୱୀଗିର ବହୁଳ ବ୍ୟବହାର କରାଯାଉଛି । କିନ୍ତୁ ଧିରେ ଧିରେ ଏ ସର୍ଭିସ ଦର ବଢ଼ିବାରେ ଲାଗିଛି । କାରଣ ଖାଦ୍ୟ କିଣିବାରେ ଯେତିକି ଟଙ୍କା ଖର୍ଚ୍ଚ ହେଉ ନାହିଁ ତା’ଠାରୁ ଅଧିକ ଡେଲିଭରି ଚାର୍ଜରେ ଖର୍ଚ୍ଚ କରିବାକୁ ପଡ଼ୁଛି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁର ଜଣେ ଟେକ୍ ଏକ୍ସପର୍ଟ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ଜୋମାଟୋ ଉପରେ ଥିବା ତାଙ୍କ ଅନୁଭୂତି ସମ୍ପର୍କରେ ଶେୟାର କରିଛନ୍ତି । ପଲ୍ଲବ ଦେ’ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ୧୦ ଟଙ୍କିଆ ପାଣିକୁ ଜୋମାଟୋ ୧୦୦ ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି । ପୋଷ୍ଟରେ ପଲ୍ଲବ ଜୋମାଟୋକୁ ଟ୍ୟାଗ୍ କରି କମ୍ପାନୀ ଏତେ ଟଙ୍କା ଗ୍ରାହକଙ୍କୁ କିପରି ନେଇପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ମଧ୍ୟ ଜୋମାଟୋ ଦେଇଛି । କମେଣ୍ଟରେ ଜୋମାଟୋ ଲେଖିଛି, ଜୋମାଟୋ ସହିତ ଆପଣଙ୍କ ଖରାପ ଅନୁଭୂତି ପାଇଁ ଆମେ ଦୁଃଖିତ । ଆମେ ଇଭେଣ୍ଟ ଆୟୋଜକ ନୁହେଁ । ଆମେ ଆପଣଙ୍କ କମେଣ୍ଟକୁ ନୋଟ୍ କରିଛୁ । ଆଗାମୀ ଦିନରେ ଆପଣ ପୁଣିଥରେ ସମାନ ଜିନିଷ ଅନୁଭବ ନ କରନ୍ତି ସେ ପ୍ରତି ଆମେ ଧ୍ୟାନ ଦେବୁ । ତେବେ ଏହା ପ୍ରଥମ ଘଟଣା ନୁହେଁ, ଯେ ଜୋମାଟୋକୁ ନେଇ ଏ ପ୍ରକାର ଅଭିଯୋଗ ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ ସମାନ ଘଟଣା କମ୍ପାନୀ ସହ ଘଟିସାରିଛି ।