ଜବରଦଖଲ ଉଚ୍ଛେଦକୁ ନେଇ ତହସିଲଦାର-ଆଇନଜୀବୀ ମୁହାଁମୁହିଁ, ଦେଖନ୍ତୁ Video

ଛତ୍ରପୁର(ଓଡ଼ିଶା ଭାସ୍କର): ଜବର ଦଖଲ ଇଛେଦକୁ ନେଇ ମୁହାଁ ମୁହିଁ ହେଲେ ତହସିଲଦାର ଆଇନଜୀବୀ । ସୂଚନା ମୁତାବକ, ତହସିଲଦାର ଅରୁଣ କୁମାର ନାୟକ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ବଡ଼ ବଜାରରେ ପହଞ୍ଚିଥିଲେ । ଏହି ଜମି ପାଇଁ କେସ୍ ଲଢୁଥିବା ଆଇନଜୀବୀ ଦିଲ୍ଲିପ କୁମାର ପଟ୍ଟନାୟକ ତହସିଲଦାର ସମୟ ଦେଇନଥିବାରୁ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏପରି ଘଟଣା ଗଞ୍ଜାମ ବଡ଼ବଜାରରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଗଞ୍ଜାମ ବଡ଼ବଜାରଠାରେ କନ୍ଧ ଶତପଥୀ ୭୦ ବର୍ଷ ଧରି ଘର କରି ରହି ଆସୁଥିଲେ। ନିଜ ଘର ପଛପଟେ ଥିବା ସରକାରୀ ଜମିର କିଛି ଅଂଶରେ ସେ ଘର କରି ଦେଇଥିବା ଅଭିଯୋଗ ହୋଇ ଆସୁଥିଲା । ଉକ୍ତ ଜବରଦଖଲକୁ ଉଚ୍ଛେଦ କରିବାକୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗତକାଲି ଜେସିବି ମେଶିନ ସହ ନିଜେ ପହଞ୍ଚିଥିଲେ । ଖବର ପାଇଏହି ଜମି ପାଇଁ କେଶ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ସେଠାରେ ପହଞ୍ଚିଥିଲେ। ତାଙ୍କ ମହକିଲକୁ ୭ ଦିନ ସମୟ ନଦେଇ କାହିକି ଉଚ୍ଛେଦ ହେଉଛି ପ୍ରଶ୍ନ ପଚାରିଥିଲେ। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତହସିଲଦାର ଅରୁଣ କୁମାର ନାୟକ ଏବଂ ଆଇନଜୀବୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ପରିସ୍ଥିତି ଏପରି ହୋଇଥିଲା ତହସିଲଦାର ଆଇନଜୀବିଙ୍କୁ ଅସଦ ବ୍ୟବହାର କରିଥିଲେ । ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେଠାରୁ ପଳାଇଯାଇଥିଲେ ତହସିଲଦାର । ଗଞ୍ଜାମ ତହସିଲଦାରଙ୍କ ଏ ଦବଙ୍ଗଗିରି କିଛି ନୂଆ କଥା ନୁହେଁ । ଦୁଇ ମାସ ତଳେ ସିପାକୁଦା ଗାଁର ଜଣେ ଯୁବକଙ୍କୁ ମାଡ ମାରିବା ନେଇ ତହସିଲଦାରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ, ଯାହା ଏବେ ବିଚାରଧୀନ ଅଛି ।