fbpx

ପୋଲିସ କନେଷ୍ଟବଳଙ୍କ ପାଇଁ ବଞ୍ଚିଗଲା ଚାଷୀଙ୍କ ଜୀବନ: ତେଲେଙ୍ଗାନାରୁ ଆସିଲା ମଣିଷପଣିଆର ବାସ୍ତବ ଚିତ୍ର

କରିମନଗର: ପୋଲିସ କର୍ମଚାରୀଙ୍କ ଉଦ୍ୟମ ବଳରେ ବଞ୍ଚିଗଲା ଜଣେ ଚାଷୀଙ୍କ ଜୀବନ। ତେଲେଙ୍ଗାନାରେ ଦେଖିବାକୁ ମିଳିଛି ମଣିଷପଣିଆର ଏଭଳି ଏକ ବାସ୍ତବ ଚିତ୍ର। ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ କାନ୍ଧରେ ଚାଷୀଙ୍କୁ ବୋହି ୨ କିଲୋମିଟର କାଦୁଅ ରାସ୍ତାରେ ଦୌଡିଲେ ପୋଲିସ କର୍ମଚାରୀ। ଯାହାଫଳରେ ଚାଷୀଜଣଙ୍କ ଉଚିତ ସମୟରେ ମେଡିକାଲରେ ପହଞ୍ଚିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପୋଲିସ କର୍ମଚାରୀଙ୍କ ମହାନତାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ପୋଲିସ ଜଣଙ୍କର ଏହି ମହାନ କାମ ପାଇଁ ତାଙ୍କୁ ଭିଭିନ୍ନ ସ୍ଥାନରୁ ଧନ୍ୟବାଦର ସୁଅ ଛୁଟୁଛି।

ସୂଚନା ଅନୁଯାୟୀ, ତେଲେଙ୍ଗାନା କରିମନଗରର ଭେନାଭଙ୍କା ମଣ୍ଡଳର ବେଟିଗାଲ ଗ୍ରାମରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ନିକଟସ୍ଥ କୃଷକମାନେ ତାଙ୍କ ଅବସ୍ଥା ଦେଖି ସ୍ଥାନୀୟ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲେ। ଏହାପରେ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ସେଠାରେ ଚାଷୀଜଣଙ୍କ ଚେତାଶୂନ୍ୟ ହୋଇଥିବାର ସେ ଦେଖିବାକୁ ପାଇଥିଲେ। ଏଣୁ ବିନା ଦ୍ୱିଧାରେ ଜଣେ ପୋଲିସ କର୍ମଚାରୀ(ଜୟପାଲ) ଚାଷୀଙ୍କୁ କାନ୍ଧରେ ଉଠାଇ ଦୁଇ କିଲୋମିଟର ପର୍ୟ୍ୟନ୍ତ କ୍ଷେତର ହିଡ଼ ଦେଇ ଦୌଡିବାକୁ ଲାଗିଥିଲେ। ଏବଂ ସେ ତୁରନ୍ତ ଚାଷୀଜଣଙ୍କୁ ମେଡିକାଲରେ ପହଞ୍ଚାଇଥିଲେ।

ତେବେ ଜୟପାଲଙ୍କ ତ୍ୱରିତ କାର୍ୟ୍ୟ ଏବଂ ନିଷ୍ଠା ଯୋଗୁଁ ଚାଷୀଙ୍କୁ ସୁରକ୍ଷିତ ଭାବେ ଜାମିକୁନ୍ତା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା କରାଯାଇଥିଲା ଏବଂ ତାଙ୍କ ଜୀବନ ରକ୍ଷା ପାଇଥିଲା। ଜୟପାଲଙ୍କ ଏହି ମହାନ କାମ ପାଇଁ ତାଙ୍କୁ ଏବେ ସବୁଠି ପ୍ରଶଂସା କରାଯାଉଛି। ଜୟପାଲ ଜଣେ ସାଧାରଣ କନେଷ୍ଟବଲ ଭାବେ କାମ କରୁଥିବା ବେଳେ ଆଜି ସେ ନିଜ କାମ ପାଇଁ ସବୁଠି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ତେବେ ଘରୋଇ ବିବାଦକୁ ନେଇ ଚାଷୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।

 

Get real time updates directly on you device, subscribe now.