fbpx

କେତେ ଜଣଙ୍କୁ ସଜା ଦେଇଛନ୍ତି, କେତେ କେସ୍ ବିଚାରଧୀନ ରହିଛି, ସିବିଆଇଠୁ ପୁରା ବିବରଣୀ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆମକୁ ଜଣାଅ ତୁମେ କେତୋଟି କେସରେ ସଫଳତା ପାଇଛ । କେତେ ଜଣଙ୍କୁ ନ୍ୟାୟ ପ୍ରଦାନ କରିଛ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅର୍ଥାତ ସିବିଆଇକୁ ଏମିତି କଠୋର ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ ସଫଳତାହାର କେତେ ବୋଲି ଏଜେନ୍ସିକୁ ପ୍ରଶ୍ନ କରିଛନ୍ତି । ସିବିଆଇ ଦ୍ୱାରା ତଦନ୍ତ ଜାରି ରହିଥିବା ମାମଲାରେ ବିଳମ୍ବ କାହିଁକି ହେଉଛି ବୋଲି ମଧ୍ୟ ଅଦାଲତ ପ୍ରଶ୍ନ କରିଛନ୍ତି । ତେଣୁ ଏଜେନ୍ସିକୁ ସଫଳତାହାର ମାଗିଛନ୍ତି ସୁପ୍ରିମକୋର୍ଟ । କୁହାଯାଉଛି, ସୁପ୍ରିମକୋର୍ଟ ସିବିଆଇର ପ୍ରଦର୍ଶନର ମୂଲ୍ୟାଙ୍କନ କରିବ । ସିବିଆଇ ଦ୍ୱାରା ଏକ ମାମଲାର ୫୪୨ ଦିନର ବିଳମ୍ବ ପରେ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେଣୁ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟ ଏବଂ ଏହାର ପ୍ରଦର୍ଶନର ବିଶ୍ଳେଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ସିବିଆଇ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେହି ମାମଲା କୋର୍ଟରେ ରଖନ୍ତୁ, ଯେଉଁଥିରେ ଏଜେନ୍ସି ଟ୍ରାଏଲ କୋର୍ଟ ଓ ହାଇକୋର୍ଟରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସିବିଆଇ ନିର୍ଦ୍ଦେଶକ ଆଇନ କାର୍ଯ୍ୟକାରୀ ଦିଗରେ ବିଭାଗକୁ ମଜବୁତ କରିବାରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଚାରପତି ସଞ୍ଜୟ କିଶନ କୌଲ ଓ ଏମଏମ ସୁନ୍ଦରେଶଙ୍କ ପୀଠ କହିଛନ୍ତି, ସିବିଆଇକୁ ମଧ୍ୟ ଉତ୍ତରଦାୟୀ ହେବାକୁ ପଡିବ ।

ବିଚାରପତି ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଏମ ସୁନ୍ଦରେଶଙ୍କ ପୀଠ କହିଛନ୍ତି, ଏଜେନ୍ସି ପାଇଁ କେବଳ ମାମଲା ରୁଜୁ କରିବା ଏବଂ ଯାଞ୍ଚ କରିବା ପର୍ଯ୍ୟାପ୍ତ ନୁହେଁ, ବରଂ ଦୋଷୀଙ୍କୁ ନ୍ୟାୟ ମିଳୁଛି କି ନାହିଁ, ତାହା ସୁନିଶ୍ଚିତ କରିବା ମଧ୍ୟ ସିବିଆଇର କାମ । ପୀଠ ସିବିଆଇକୁୁ ଏ ପର୍ଯ୍ୟନ୍ତ ସରିଥିବା କେସ ଏବଂ ସଫଳତାପୂର୍ବକ ପୂରା ହୋଇଥିବା ମାମଲାର ପୂରା ବିବରଣୀ ମାଗିଛନ୍ତି । ସିବିଆଇକୁ ଏହା ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି ଯେ, ଅଦାଲତରେ କେତେ ମାମଲା ବିଚାରଧୀନ ରହିଛି ଏବଂ କେତେ ସମୟ ଧରି ଏମିତି ବିଚାର ଚାଲିଛି ।

 

Get real time updates directly on you device, subscribe now.