ଭୟଙ୍କର ବିମାନ ଦୁର୍ଘଟଣା: ଜିଅନ୍ତା ଜଳିଗଲେ ସମସ୍ତ ଯାତ୍ରୀ, ୧୫ ଘର ସହ…

ୱାଶିଂଟନ,୨୨ା୫:  ଆମେରିକାର କାଲିଫର୍ନିଆରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି । କାଲିଫର୍ନିଆର ସାନ ଡିଏଗୋ ନିକଟରେ  ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ୧୫ଟି ଘର ଏବଂ ଅନେକ ଯାନରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ଆମେରିକୀୟ ସେନାର ସବୁଠାରୁ ବଡ଼ ଆବାସିକ ଅଞ୍ଚଳରେ ଘଟିଛି।

ସ୍ଥାନୀୟ ଅଧିକାରୀମାନେ କହିଛନ୍ତି, ‘ସାନ ଡିଏଗୋ ନିକଟରେ କୁହୁଡ଼ିରେ ହଠାତ୍ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଆବାସିକ ଅଞ୍ଚଳର ଘରଗୁଡ଼ିକ ଉପରେ ଆକାଶରୁ ପଡ଼ିଥିଲା। ‘ଅଧିକାରୀମାନେ କହିଛନ୍ତି, ପ୍ରାୟ ୧୦ଟି ଘରେ ନିଆଁ ଲାଗିଯାଇଥିଲା, କିନ୍ତୁ ସେତେବେଳେ ଘରେ କେହି ଉପସ୍ଥିତ ନଥିଲେ। ବିମାନରେ ଥିବା ପ୍ରାୟ ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ,ଏହି ବିମାନରେ ୮ରୁ ୧୦ ଜଣ ଲୋକ ଥାଇପାରନ୍ତି।

ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘରଗୁଡ଼ିକୁ ଖାଲି କରିଦେଇଛନ୍ତି। ୧୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଏକ ସ୍କୁଲକୁ ନିଆଯାଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ସେସ୍ନା ୫୫୦ ଭାବରେ ଚିହ୍ନଟ ହୋଇଛି, ଯାହା ମଣ୍ଟଗୋମେରୀ-ଗିବସ୍ ଏକଜିକ୍ୟୁଟିଭ୍ ବିମାନବନ୍ଦର ଅଭିମୁଖେ ଯାଉଥିଲା। ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB)ର ଦଳ ଏହା କରିବେ। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଜେଟ୍ ଇନ୍ଧନ ବ୍ୟାପି ଯାଇଥିଲା। ଯାହା ଯୋଗୁ ଅଗ୍ନିଶମ ବାହିନୀ ଦଳ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।

ସୂଚନାଥାଉକି, ଏହି ଅଞ୍ଚଳରେ ପୂର୍ବରୁ ଅନେକ ବିମାନ ଦୁର୍ଘଟଣା ଘଟିଛି। ଅକ୍ଟୋବର ୨୦୨୧ରେ ସାନ ଡିଏଗୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ ଏବଂ ଜଣେ UPS ଡେଲିଭରି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ଏବଂ ଘରଗୁଡ଼ିକ ଜଳି ଯାଇଥିଲା। ବିମାନଟି ବିମାନବନ୍ଦରରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଡିସେମ୍ବର ୨୦୦୮ରେ ସାନ ଡିଏଗୋର ୟୁନିଭର୍ସିଟି ସିଟି ଅଞ୍ଚଳରେ ଏକ ମାରିନ୍ କର୍ପସ୍ ଲଢ଼ୁଆ ବିମାନ ଏକ ଘର ସହିତ ଧକ୍କା ଖାଇ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।