ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪୦୦କୁ ବୃଦ୍ଧି ପାଇଥରବା ବେଳେ, ୧୫୦୦ ଜଣ ଏଥିରେ ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।
ସୂତ୍ର୍ରରୁ ମିଳିଥିବା ସୂଚନା ମୁତାବକ, ହାମାସ ଇସ୍ରାଏଲର ପ୍ରାୟ ୧୬୪ ଲୋକଙ୍କୁ ବନ୍ଧକ ରଖିଛି । ଏହା ବ୍ୟତୀତ ହାମାସର ଅନେକ ଯୋଦ୍ଧା ଇସ୍ରାଏଲର ସୀମାରେ ପ୍ରବେଶ କରିଛନ୍ତି । ଏହାକୁ ଦେଖି ଇସ୍ରାଏଲର ପ୍ରଧାନମନ୍ତ୍ରୀ ଯୁଦ୍ଧ ଘୋଷଣା କରି କହିଛନ୍ତି ଯେ, ଏଥିପାଇଁ ଶତ୍ରୁମାନଙ୍କୁ ଭାରି ମୂଲ୍ୟ ଦେବାକୁ ପଡିବ । ଯୁଦ୍ଧ ତୀବ୍ର ହେବା ଯୋଗୁଁ ଇସ୍ରାଏଲର ପଧାନମନ୍ତ୍ରୀ ନେତାନ୍ୟାହୁ ଗାଜାବାସୀଙ୍କୁ ତୁରନ୍ତ ଘର ଛାଡ଼ି ଚାଲିଯିବାକୁ କହିଛନ୍ତି । “ହମାସ ବିରୋଧରେ ଇସ୍ରାଏଲ କଡ଼ାକଡ଼ି ଅଭିଯାନ ଆରମ୍ଭ କରିବ, ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ଧ୍ୱଂସାବସେଷରେ ପରିଣତ କରିଦେବୁ’ ବୋଲି କହିଥିବାର ଇସ୍ରାଏଲ ତରଫରୁ ସୂଚନା ମିଳିଛି ।
ଇସ୍ରାଏଲ ଉପରେ ହମାସ ପ୍ରଥମେ କ୍ଷେପଣାସ୍ତ୍ର ମାଡ କରିବା ପରେ ଇସ୍ରାଏଲ ବି ଯୁଦ୍ଧ ଘୋଷଣା କରି ଦେଇଛି । ଇସ୍ରାଏଲର ବହୁ ଲୋକଙ୍କୁ ହମାସ ଆତଙ୍କବାଦୀଙ୍କ ପକ୍ଷରୁ ବନ୍ଧକ ବି ରଖାଯାଇଛି । ଏହାର ଜବାବରେ ଇସ୍ରାଏଲ ଗାଜାପଟ୍ଟୀ ଉପରେ ଏକ ଡର୍ଜନରୁ ଅଧିକ ରକେଟ୍ ମାଡ କରିଛି । ଏହି ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । କିଛି ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ଜାରି ରହିଛି ।