ମସ୍କୋ,୭ା୭: ରୁଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଘଣ୍ଟା ପୂର୍ବରୁ ରୋମାନ୍ ଷ୍ଟାରୋଭୋଇଟଙ୍କୁ ବହିଷ୍କାର କରିଥିଲେ। ରୁଷ ଅଧିକାରୀମାନେ କହିଛନ୍ତି ଯେ, ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଛି।
ୟୁକ୍ରେନ ସୀମାବର୍ତ୍ତୀ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ଭାବରେ ପ୍ରାୟ ୫ ବର୍ଷ ବିତାଇବା ପରେ ତାଙ୍କୁ ମେ ୨୦୨୪ରେ ପରିବହନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ରୁଷର ବିମାନ ଚଳାଚଳ ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ଅବହେଳା ଏବଂ ଦୁର୍ନୀତି ଅଭିଯୋଗ ଯୋଗୁ ଷ୍ଟାରୋଭୋଇଟଙ୍କୁ ବହିଷ୍କାର କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଷ୍ଟାରୋଭୋଇଟ୍ ଆତ୍ମହତ୍ୟା କରିଛନ୍ତି। ଷ୍ଟାରୋଭୋଇଟ୍ ଙ୍କ ସ୍ଥାନରେ ଉପ ପରିବହନ ମନ୍ତ୍ରୀ ଆଣ୍ଡ୍ରେ ନିକିଟିନଙ୍କୁ ନିଯୁକ୍ତି ଦିଆଯାଇଛି, ଯିଏ ବର୍ତ୍ତମାନ କାର୍ଯ୍ୟକାରୀ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।
ରିପୋର୍ଟ ଅନୁଯାୟୀ, ଗତ ମାସରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍ ପୂର୍ବରୁ ରୋମାନ୍ ଷ୍ଟାରୋଭୋଇଟଙ୍କ ସ୍ଥାନରେ ଆଣ୍ଡ୍ରେ ନିକିଟିନଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିବାର ଯୋଜନା ଚାଲିଥିଲା। ରୋମାନ ଷ୍ଟାରୋଭୋଇଟ୍ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ପଦ ଛାଡିବାର ଦୁଇ ମାସ ପରେ, ୟୁକ୍ରେନୀୟ ସୈନିକମାନେ ସୀମା ପାର କରି କୁର୍ସ୍କରେ ପ୍ରବେଶ କରିଥିଲେ।
ଏହି ବର୍ଷ ପ୍ରାରମ୍ଭରେ ରୁଷ ସେନା ୟୁକ୍ରେନୀୟ ସେନାକୁ କୁର୍ସ୍କରୁ ତଡ଼ି ଦେଇଥିଲା। ଏହା ପରେ, କ୍ଷମତାର ଅପବ୍ୟବହାର ଅଭିଯୋଗରେ କୁର୍ସ୍କର କିଛି ଆଞ୍ଚଳିକ ଅଧିକାରୀଙ୍କୁ ଗିରଫ କରାଯାଇଥିଲା।
ରୁଷରେ ରୋମାନ ଷ୍ଟାରୋଭୋଇଟ୍ ଭୌତିକ ଏବଂ ସାମାଜିକ ଗଠନ ବିକଶିତ କରିଥିବା ନେତା ଭାବରେ ବିବେଚନା କରାଯାଉଥିଲା। ସେ ରୁଷରେ ରାସ୍ତାର ଏକ ନେଟୱର୍କ ନିର୍ମାଣ କରିଥିଲେ। ତାଙ୍କ କାର୍ଯ୍ୟରେ ଖୁସି ହୋଇ, ପୁଟିନ୍ ତାଙ୍କୁ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ପ୍ରଥମେ ତାଙ୍କୁ ଉପ ପରିବହନ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ଏବଂ ତା’ପରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା।