ଚଉଠି ରାତିରେ ଖୋଲିଗଲା ଗୁମର, ସେ ସ୍ତ୍ରୀ ନଥିଲା, ଥିଲା କିନ୍ନର!

ଚଉଠି ରାତିରେ ଜଣାପଡ଼ିଗଲା ସ୍ତ୍ରୀର ସତ

ବିହାର: ଚଉଠି ରାତିରେ ଖୋଲିଗଲା ଗୁମର, ଜଣାପଡ଼ିଗଲା ସ୍ତ୍ରୀର ସତ। ବିହାରର ସୀବାନ ଜିଲ୍ଲାର ମୁଫ୍ଫସିଲ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଦୁଇ ଦିନ ପରେ ଜଣାପଡ଼ିଛି ଯେ ବଧୂ ଜଣେ କିନ୍ନର। ଏହି ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଏହି ଘଟଣା ପାଇଁ ପ୍ରଥମେ ପଞ୍ଚାୟତ ବସିଥିଲା, କିନ୍ତୁ ପରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ହାତାହାତିରେ ୧୨ ଜଣ ଆହତ ହୋଇଛନ୍ତି। ମୁଫ୍ଫସିଲ ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଲକଡ଼ି ଗାଁର ଜଣେ ଯୁବତୀଙ୍କର ବିବାହ ଗତ ୧୧ ଜୁନ୍‌ରେ ସୀବାନର ଜଣେ ଯୁବକ ସହିତ ଧୁମଧାମରେ ସମ୍ପନ୍ନ ହୋଇଥିଲା। ବିବାହର ପରଦିନ ବୋହୂ ଶାଶୁଘରକୁ ଆସିଥିଲେ, କିନ୍ତୁ ଦୁଇ ଦିନ ପରେ ବରକୁ ଜଣାପଡ଼ିଥିଲା ଯେ ତାଙ୍କ ସ୍ତ୍ରୀ ଜଣେ କିନ୍ନର। ଏହା ଜାଣିବା ପରେ ବୋହୂଙ୍କୁ ତାଙ୍କ ବାପଘରକୁ ପଠାଇ ଦିଆଯାଇଥିଲା।

ଏହି ଘଟଣାକୁ ନେଇ ଦୁଇଥର ପଞ୍ଚାୟତ ବସିଥିଲା, ଯେଉଁଠାରେ ଉଭୟ ପକ୍ଷ ଦେଇଥିବା ସାମଗ୍ରୀ ଓ ଟଙ୍କା ଫେରାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଟଙ୍କା ଓ ସାମଗ୍ରୀ ଫେରସ୍ତ ନେଇ ବିବାଦ ଜଟିଳ ହୋଇଥିଲା।

ଝିଅର ବାପା ଓ ମଧ୍ୟସ୍ଥିଙ୍କ ଅଭିଯୋଗ ଅନୁସାରେ, ଏହି ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ବର ପକ୍ଷ ଯୌତୁକରେ ଦିଆଯାଇଥିବା ଟଙ୍କା ଓ ସାମଗ୍ରୀ ଫେରାଇ ନାହାନ୍ତି। ଏହାକୁ ନେଇ ୧୬ ଜୁଲାଇରେ ପୁନର୍ବାର ପଞ୍ଚାୟତ ବସିଥିଲା। ବର ପକ୍ଷର ଦାବି ଥିଲା ଯେ, ବିବାହରେ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଛି ଏବଂ ଫେରାଇବାକୁ ସମୟ ଲାଗିବ।

ଏହା ପରେ ବିଳମ୍ବ ରାତ୍ରିରେ ବର ପକ୍ଷର ଲୋକେ ମଧ୍ୟସ୍ଥିଙ୍କ ଘରେ ପହଞ୍ଚିଥିଲେ, ଯେଉଁଠାରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ହାତାହାତି ହୋଇଥିଲା। ଏଥିରେ ପ୍ରାୟ ୧୨ ଜଣ ଆହତ ହୋଇଥିଲେ, ଯେଉଁମାନଙ୍କୁ ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବିବାଦ ମଧ୍ୟରେ ବଧୂ ନିଜର ବୟାନ ଦେଇ କହିଛନ୍ତି ଯେ, ତାଙ୍କୁ ଏହି ବିଷୟରେ ଜଣାଥିଲା ଏବଂ ସେ ବିବାହ ପାଇଁ ମନା କରିଥିଲେ। କିନ୍ତୁ ତାଙ୍କ ବାପା ଜବରଦସ୍ତି ବିବାହ କରାଇଥିଲେ। ସେ ଏହି ଘଟଣା ଯୋଗୁଁ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି ଏବଂ ଏହି ବିବାଦରେ ଗଭୀର ଆହତ ହୋଇଛନ୍ତି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି। ଘଟଣାର ତଦନ୍ତ ଚାଲୁ ରହିଛି ଏବଂ ପୁଲିସ ଏହାର ମୂଳ କାରଣ ଜାଣିବାକୁ ଚେଷ୍ଟା କରୁଛି।