fbpx

ଆଜି ବଡ ଦେଉଳରୁ ବାହାରିବେ ଶ୍ରୀଜୀଉ: ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡଦାଣ୍ଡ ହୋଇଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ସିଂହଦ୍ୱାର ସମ୍ମୁଖରେ ବିଜେ କରି ସାରିଛନ୍ତି । ପୁଣି ବର୍ଷକ ପରେ ଆଜି ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା’ଙ୍କ ଘର ଅଭିମୁଖେ ବାହାରିବେ । ବଡଦାଣ୍ଡରେ ତିନି ଠାକୁରଙ୍କ ରଥ ଟାଣିବା ପାଇଁ ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତବୃନ୍ଦ ।

ସକାଳୁ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି ବଢିବା ପରେ ସକାଳ ସାଢେ ୯ଟାରେ ପହଣ୍ଡି ହେବ । ଏହାପରେ ତିନି ରଥରେ ଶ୍ରୀଜୀଉଙ୍କ ରୁନ୍ଧା ସହ ଚାରିମାଳ ଫିଟା ହେବା ପରେ ରଥଟଣା ଆରମ୍ଭ ହେବ । ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବ । ତେବେ ଏହାପୂର୍ବରୁ ବଡ ଦେଉଳ ଭିତରେ ସମସ୍ତ ନୀତିକାନ୍ତି ଚାଲୁ ରହିଛି । ଆଉ କେତେଟା ମୁହୂର୍ତ୍ତ ପରେ ସେହି ଦୁର୍ଲଭ ମୁହୂର୍ତ୍ତ ଆସି ପହଞ୍ଚିବ, ଯେଉଁଠି ଭକ୍ତ-ରଥ-ପଥ ଏକାଠି ହୋଇଯିବେ । କେବଳ ଶ୍ରଦ୍ଧାଳୁ ନୁହେଁ, ନିଜେ ଭଗବାନ ମଧ୍ୟ ଭକ୍ତମାନଙ୍କୁ ଟିକିଏ ଦେଖିବା ପାଇଁ ବ୍ୟାକୁଳ ହୋଇ ପଡିଲେଣି ।

ବଡ ଦେଉଳ ଭିତରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ୍, ତଡପଲାଗି ଓ ଅବକାଶ ପରେ ସୂର୍ଯ୍ୟପୂଜା ଆଦି ନୀତିକାନ୍ତି ଶେଷ ହୋଇଛି । ବର୍ତ୍ତମାନ ଶ୍ରୀମନ୍ଦିରରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେଉଥିବା ପରେ ଏହା ପରେ ଖେଚୁଡି ଭୋଗ ଏବଂ ୯ଟାରେ ହେବ ରଥ ପ୍ରତିଷ୍ଠା । ୯.୧୫ ସମୟରେ ମଙ୍ଗାର୍ପଣ ଏବଂ ପରେ ଖୁଣ୍ଟିଆ ‘ମଣିମା’ ଡାକ ସହିତ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ । ୯.୩୦ରୁ ପହଣ୍ଡି ବିଜେ କରି ଭକ୍ତଙ୍କ ଗହଣକୁ ଆସିବେ କଳାଦିଅଁଙ୍କ ସହ ଜ୍ୟେଷ୍ଠଭ୍ରାତା ବଳଭଦ୍ର ଏବଂ ମାତା ସୁଭଦ୍ରା । ଏହାପରେ ରଥ ଉପରେ ଅନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ ଏବଂ ଶେଷରେ ଅପରାହ୍ନ ୪ଟାରେ ଯାତ୍ରା ଆରମ୍ଭ କରିବେ ମଦନ ମୋହନ ଜଗତର ନାଥ ଶ୍ରୀଜଗନ୍ନାଥ ।

Get real time updates directly on you device, subscribe now.