fbpx

ନେତୃତ୍ୱ ଓ ଅସ୍ଥିତ୍ୱ ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ, ଏକ ଏକ ଟଙ୍କା ବଞ୍ଚାଇବାକୁ ଫର୍ମୁଲା ପ୍ରସ୍ତୁତ କଲା ପାର୍ଟି

Advertisement

ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି ସଂପ୍ରତି ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କ୍ଷମତାରୁ ଦୂରରେ ଏବଂ ଚାନ୍ଦାରେ ହ୍ରାସ କାରଣରୁ ପାର୍ଟି ଆଜି ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିପାଇଁ ପାର୍ଟି ଖର୍ଚ୍ଚକାଟ୍ ସହ ଅର୍ଥ ସଂଗ୍ରହ ପାଇଁ ଅନେକ ଉପାୟ ଘୋଷଣା କରିଛି । ପାର୍ଟି କୋଷାଧ୍ୟକ୍ଷ ପବନ ବଂଶଲ କହିଛନ୍ତି, ସେମାନେ ଗୋଟିଏ ଗୋଟିଏ ଟଙ୍କା ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ନିଜର ପଦାଧିକାରୀଙ୍କ ଯାତ୍ରା ଓ ଭତ୍ତାରେ ହ୍ରାସ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି । ସାଂସଦଙ୍କୁ ପ୍ରତି ବର୍ଷ ପାର୍ଟି ଫଣ୍ଡରେ ୫୦ ହଜାର ଟଙ୍କା ଦେବାକୁ କୁହାଯାଇଛି । ଏଥିସହ ସାଂସଦଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ବିମାନ ଯାତ୍ରା ପାଇଁ ପାର୍ଟି ଫଣ୍ଡ ବଦଳରେ ନିଜ ବ୍ୟବସ୍ଥାରେ ଯାତ୍ରା କରନ୍ତୁ ।

ଏଥିସହ ପାର୍ଟି ସାଧାରଣ ସଂପାଦକ ଓ ଅନ୍ୟ ପାର୍ଟି ପ୍ରଭାରୀଙ୍କ ପାଇଁ ମଧ୍ୟ ଗାଇଡଲାଇନ୍ସ ଜାରି କରିଛି । ସାଧାରଣ ସଂପାଦକ ଓ ପଦାଧିକାରୀଙ୍କୁ ବିମାନ ଯାତ୍ରା ବଦଳରେ ଟ୍ରେନରେ ଯାତ୍ରା କରିବାକୁ କୁହାଯାଇଛି । ଯଦି ବିମାନ ଯାତ୍ରା ଜରୁରୀ ତେବେ ଅଳ୍ପ ଭଡାରେ ମିଳୁଥିବା ଏୟାରଲାଇନ୍ସର ବ୍ୟବହାର କରିବାକୁ କୁହାଯାଇଛି ।

ଏନଡିଟିଭି ଅନୁଯାୟୀ, କଂଗ୍ରେସ ଏଆଇସିସି ସଂପାଦକ ଓ ପାର୍ଟିର ଅନ୍ୟ ପଦାଧିକାରୀଙ୍କୁ ୧୪୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ ଭଡା ଦିଆଯିବ । ଏଥିରୁ ଅଧିକ ଦୂର ହେଲେ ପଦାଧିକାରୀଙ୍କୁ କମ ଭଡାରେ ବିମାନ ଯାତ୍ରା କରିବାକୁ ପଡିବ । ବିମାନ ଯାତ୍ରାର ଭଡା ଗୋଟିଏ ମାସରେ କେବଳ ଦୁଇ ଥର ଦିଆଯିବ । ଏହା ବାଦ୍ ଟ୍ରେନର ଭଡା ଯଦି ବିମାନ ଯାତ୍ରାଠୁ ଅଧିକ ରହେ ତେବେ ପଦାଧିକାରୀ ବିମାନ ଯାତ୍ରା କରି ପାରିବେ ।

ନୂତନ ଗାଇଡଲାଇନ ଅନୁଯାୟୀ, କ୍ୟାଣ୍ଟିନ,ଷ୍ଟେସନାରୀ, ବିଜୁଳି, ଖବର କାଗଜ, ତେଲ ଆଦି ଉପରେ ଖର୍ଚ୍ଚ ଯେତିକି କମ ହୋଇ ପାରିବ, ସେତିକି କରିବାକୁ ପଦାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ସଂପାଦକ ଓ ସାଧାରଣ ସଂପାଦକଙ୍କ ଭତ୍ତାରେ କ୍ରମଶଃ ୧୨ ହଜାର ଓ ୧୫ ହଜାର ଟଙ୍କା ହ୍ରାସ କରାଯିବ ।

ପାର୍ଟିର ପଦାଧିକାରୀଙ୍କ ହ୍ରାସ ପରେ କଂଗ୍ରେସ ନିଜ ସାଂସଦଙ୍କୁ ପ୍ରତି ବର୍ଷ ୫୦ ହଜାର ଟଙ୍କା ପାର୍ଟି ଫଣ୍ଡରେ ଦେବାକୁ କହିଛି । ଏଥିସହ ପାର୍ଟିର ଦୁଇ ସମର୍ଥକଙ୍କଠୁ ବାର୍ଷିକ ୪ ହଜାର ଟଙ୍କାର ସଂଗ୍ରହ କରିବାକୁ କୁହାଯାଇଛି । କାରଣ ଚଳିତ ବର୍ଷ ପାର୍ଟିକୁ କମ ଚାନ୍ଦା ମିଳିଛି । ୨୦୧୮-୧୯ରେ କଂଗ୍ରେସକୁ ଯେଉଁଠି ନିର୍ବାଚନୀ ବଣ୍ଡ ଭାବେ ୩୮୯ କୋଟି ଟଙ୍କା ମିଳିଥିଲା, ସେଠି ୨୦୧୯-୨୦ରେ ୩୧୮ କୋଟି ଟଙ୍କା ମିଳିଛି ।

Get real time updates directly on you device, subscribe now.