fbpx

ଆଜି ସରିବ ପ୍ରଚାରପର୍ବ: ‘Climax Date’ରେ ଓଡ଼ିଶାରେ ହେବ ତ୍ରିମୁଖୀ ମହାଲଢେଇ

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନର ସମୟ ଆସିଯାଇଛି । ଆଉ ୨ଟା ଦିନ ପରେ ଅନ୍ତିମ ପର୍ଯ୍ୟାୟରେ ଭୋଟ ଦେବେ ଜନତା ଜନାର୍ଦ୍ଦନ । ଏହାପରେ ୪ ତାରିଖ ହେବ ଭୋଟଗଣତି । ତେବେ ଏହାପୂର୍ବରୁ ଆଜି ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ସବୁ ଶକ୍ତି ସାମର୍ଥ୍ୟ ଲଢାଇବେ ଓଡ଼ିଶାର ୩ ହେଭିୱେଟ ଦଳ । ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ଏହି ଫାଇଟ ଖୁବ ସଂଘର୍ଷ ହେବା ନେଇ ଆଶା ରହିଛି । ତେବେ ପ୍ରଚାରର କ୍ଲାଇମାକ୍ସ ଦିନ ଦଳର ହେଭିୱେଟ ନେତା ଏବଂ ପ୍ରାର୍ଥୀ ଭୋଟରଙ୍କ ପ୍ରିୟ ଭାଜନ ହେବାକୁ କରିବେ ଅନ୍ତିମ ପ୍ରୟାସ ।

ଆଜି ସନ୍ଧ୍ୟା ସୁଦ୍ଧା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରପର୍ବ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଜୁନ୍ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ପ୍ରଚାର ଶେଷ କରି ଭୋଟରଙ୍କ ମତାମତକୁ ଅପେକ୍ଷା କରିବେ ରାଜେନୈତିକ ଦଳ, ପ୍ରାର୍ଥୀ ଏବଂ ନେତା । ଆଜି ସନ୍ଧ୍ୟା ପରେ ଭୋଟରଙ୍କ ହାତରେ ପ୍ରାର୍ଥୀ ଏବଂ ଦଳର ଭବିଷ୍ୟତ । ତେଣୁ ଆଜି ଗୋଟିଏ ଦିନ ସମସ୍ତଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଜନତା ତଥା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେଡ, ବିଜେପି ଏବଂ କଂଗ୍ରେସର ତୁଙ୍ଗ ନେତା ଗୋଟି ଚଳାଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ(ବିଜେପି) ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ବିଜେଡି) ବିଭିନ୍ନ ସ୍ଥାନରେ ରାଲି କରିଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପ୍ରଚାରର କ୍ଲାଇମାକ୍ସ ଦିନରେ ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ କଂଗ୍ରେସ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ ।

ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ନେତା ଭି.କେ ପାଣ୍ଡିଆନ୍ ମଧ୍ୟ ଶେଷ ଦିନରେ ବାଜିମାତ୍ ଲକ୍ଷ୍ୟରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭଦ୍ରକ ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀ ବିଶାଳ ସଭା କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାବ୍ୟତୀତ ବାଲେଶ୍ୱରରେ ପ୍ରଚାର ମଙ୍ଗ ଧରିବେ ଭି.କେ ପାଣ୍ଡିଆନ୍ । ତେବେ ଏଥର ନିର୍ବାଚନ ଯୁଦ୍ଧରେ ବିରାଟ ଲକ୍ଷ୍ୟ ନେଇ ଆସିଥିବା ବିଜେପି ଏହି କ୍ଲାଇମାକ୍ସ ଫାଇଟରେ ପଛରେ ରହିନାହିଁ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ରାଜ୍ୟର ବିଭିନ୍ନ ସ୍ଥାନରେ ମେଳ ହୋଇ ଭୋଟରଙ୍କ ଆସ୍ଥାଭାଜନ କରିବା ହେବେ ।

ସୂଚନା ଥାଉ କି, ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ମତଦାନରେ ମୋଟ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମହାଲଢେଇ ଦେଖିବାକୁ ମିଳିବ । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ତେବେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଭୋଟଗ୍ରହ କରାଯିବ । ଏହି ତାଲିକାରେ ଉତ୍ତରପ୍ରଦେଶ, ହିମାଚଳ, ବିହାର, ପଞ୍ଜାବ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଚଣ୍ଡୀଗଡ଼ରେ ମତଦାନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.