ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚୂଲି ଲଗାଇ ଶୋଇଥିଲେ ପରିବାର, ଶ୍ୱାସରୁଦ୍ଧରେ ୩ମୃତ

ରାଜସ୍ଥାନ: କଠିନ ଶୀତରୁ ରକ୍ଷା ପାଇବା ପାଇଁ କିଏ ରୁମ ହିଟର ଲଗାଇ ଶୋଉଛି ତ କିଏ ଚୂଲି ଜଳାଇ ଶୋଉଛି । ହେଲେ କିଏ ଜାଣିଛି ଏହି ଥଣ୍ଡାରୁ ରକ୍ଷା ପାଇବାର ଉପାୟ କେତେବେଳେ ଜୀବନ ନେଇ ଯିବ ତାହା କେହି ଜାଣି ନାହାନ୍ତି । ଏମିତି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ଏକ ପରିବାର ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୋଇବା ଘରେ ଚୂଲି ଜଳାଇ ଶୋଇଥିଲେ । ହେଲେ ଧୂଆଁ ଦ୍ୱାରା ଶ୍ୱାସରୁଦ୍ଧ ଘଟି ପରିବାରର ୩ଜଣ ମୃତ୍ୟୁ ବରଣ କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ରାଜସ୍ଥାନର ଚୁରୁ ଜିଲ୍ଲାରେ ରବିବାର ରାତ୍ରୀ ସମୟରେ ଘଟିଛି । ଏଠାରେ ଏକ ପରିବାର ରାତ୍ରୀ ଭୋଜନ ସାରି ଶୋଇବାକୁ ଗଲେ । ଥଣ୍ଡାରୁ ବଞ୍ଚିବା ପାଇଁ ଶୋଇବା ଘରେ ଚୂଲି ଲଗାଇ ଶୋଇଥିଲେ । ଚୂଲିର ଧୂଆଁ ପାଇଁ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା । ଶୋଇଥିବା ଅବସ୍ଥାରେ ଏହା ଜଣା ନ ପଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁରେ ୫୬ବର୍ଷିୟ ଶାଶୁ, ୨୫ ବର୍ଷର ବୋହୂଙ୍କ ସହ ୩ବର୍ଷିୟ ନାତୁଣୀର ମୃତ୍ୟୁ ଘଟିଛି ।

ଘଟଣାରେ ଅମରଚନ୍ଦ ହେଉଛନ୍ତି ପରିବାରର ମୁଖ୍ୟ, ତାଙ୍କର ୨ପୁତ୍ର ଗୁଜୁରାଟରେ ରହି କାମ କରନ୍ତି । ସେଦିନ ରାତିରେ ଭୋଜନ ସାରିବା ପରେ ବାହାର ଘରେ ଅମରଚନ୍ଦ ତାଙ୍କ ୫ବର୍ଷର ନାତିକୁ ଧରି ଶୋଇଥିଲେ । ଭିତର ଘରେ ଶାଶୂ-ବୋହୂ ଏବଂ ୩ ବର୍ଷିୟ ନାତୁଣୀ ଶୋଇଥିଲେ । ଥଣ୍ଡାରୁ ବଞ୍ଚିବା ପାଇଁ ସେମାନେ ଚୂଲି ଲଗାଇ ଶୋଇଥିଲେ । ଶ୍ୱାସକ୍ରିୟାରେ ବାଧା ହେବା ଯୋଗୁଁ ୩ଜଣଙ୍କ ମୃତ୍ୟୁ ଘଟିଛି ।

ସୋମବାର ସକାଳେ ଏହି ଘଟଣା ଜାଣିବା ପରେ ଘରେ ଉତ୍ତେଜନା ଦେଖାଦେଇଥିଲା ଏବଂ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ଜମିଥିଲା। ସୂଚନା ମୁତାବକ, ରତନଗର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ନେଇଥିଲା। ପୋଲିସ କହିଛି ଯେ, ଯେତେବେଳେ ଘରର ମହିଳାମାନେ ସକାଳୁ ଉଠି ନଥିଲେ, ସେମାନଙ୍କୁ ଡକାଯାଇଥିଲା। କିନ୍ତୁ ଯେତେବେଳେ ତାଙ୍କ ପାଖରୁ କୌଣସି ଉତ୍ତର ଆସିଲା ନାହିଁ, ଆଖପାଖର ଲୋକମାନେ ଏକତ୍ରିତ ହେଲେ ଏବଂ ଝରକା ଭାଙ୍ଗି କବାଟ ଖୋଲିଲେ । ସେତେବେଳେ ହିଁ ଘଟଣାଟି ସାମ୍ନାକୁ ଆସିଛି । ପୋଲିସ ତଦନ୍ତ ଜାରି ରଖିଛି ।