fbpx

ଖୋର୍ଦ୍ଧା ରୋଡ୍ ଷ୍ଟୋସନରେ ନିର୍ମାଣ ହେବ ଫ୍ଲାଏଓଭର, ଖର୍ଚ୍ଚ ହେବ ୧୯୨ କୋଟି ଟଙ୍କା

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଚଳାଚଳ ଓ ଯାତାୟତକୁ ଦୃଷ୍ଟିରେ ରଖି ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ରେଳବାଇର ଏନର୍ଜି କରିଡର ଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ସୂଚନା ଅନୁସାରେ, ପୂର୍ବତଟ ରେଳପଥ ଦ୍ୱାରା ଖୋର୍ଦ୍ଧା ରୋଡ ଷ୍ଟେସନଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ଦିଆଯାଇଥିବା ମୋଟ୍ ୧୯୧.୮୭ କୋଟି ଟଙ୍କା ବ୍ୟୟର ପ୍ରସ୍ତାବକୁ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି । ପୁରୀରୁ ଭୁବନେଶ୍ୱର ଯାତାୟତ କରୁଥିବା ଟ୍ରେନଗୁଡ଼ିକକୁ ଡାଉନଲାଇନକୁ ସ୍ୱତନ୍ତ୍ର ଭାବେ ସଂଯୋଗ କରିବା ପାଇଁ ଏହି ଫ୍ଲାଏଓଭର କାର୍ଯ୍ୟ କରିବ । ଏହା ସହ ଟ୍ରେନ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଜଣାପଡ଼ିଛି । ଉପଲବ୍ଧ ରେଳ ଜମି ମଧ୍ୟରେ କିମ୍ବା ଜମି ଅଧିଗ୍ରହଣର ଆବଶ୍ୟକତାକୁ କମ୍ କରାଇ ୭.୪୧ କିମି ଲମ୍ବ ଫ୍ଲାଏଓଭର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସୂଚନାଯୋଗ୍ୟ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯେକୌଣସି ଟ୍ରେନ ଖୋର୍ଦ୍ଧା ରୋଡ୍ ଜଙ୍କସନ ଷ୍ଟେସନରେ କ୍ରସିଂ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଏହି ସୀମିତ ବ୍ୟବସ୍ଥା ଯୋଗୁ ଖୋର୍ଦ୍ଧା ରୋଡଠାରୁ ପଲାସା ଓ ପୁରୀରୁ ଭୁବନେଶ୍ୱର ଆଡ଼କୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥାଏ । ତେବେ ଦେଖିବାକୁ ରହିଲା ଏହି ରେଳ ଫ୍ଲାଏଓଭର କେବେ କାର୍ଯ୍ୟକାରୀ ହେଉଛି ଏବଂ ସାଧାରଣ ଜନତା କେତେ ଦୂର ଉପକୃତ ହେଉଛନ୍ତି ।

Get real time updates directly on you device, subscribe now.