ନୂଆଦିଲ୍ଲୀ,୧୯ା୪: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଶନିବାର ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ଭୟଙ୍କର । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମସିଡି ମେୟର ମହେଶ ଖିଚି ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Delhi: CCTV footage captured the sudden collapse of a four-storey L-shaped building pic.twitter.com/VaU6X7rpqy
— IANS (@ians_india) April 19, 2025
ମୁସ୍ତାଫାବାଦ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ବିଧାୟକ ମୋହନ ସିଂହ ବିଷ୍ଟ ଦିଲ୍ଲୀ ସରକାରଙ୍କଠାରୁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ବିଧାନସଭାରେ ବେଆଇନ କୋଠା ପ୍ରସଙ୍ଗ ଅନେକ ଥର ଉଠାଯାଇଛି।
ସେ କହିଥିଲେ, “ମୁଁ ନିର୍ବାଚନ ଜିତିବା ଦିନଠାରୁ, ମୋର ଏକମାତ୍ର ପ୍ରସଙ୍ଗ ହେଉଛି ବେଆଇନ କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା। ଯଦି ଶହ ଶହ ଲୋକ ୨୫ କିମ୍ବା ୫୦ ଗଜର କୋଠାରେ ରହୁଛନ୍ତି, ତେବେ ଏକ ଦୁର୍ଘଟଣା ନିଶ୍ଚିତ ଭାବରେ ଘଟିବ। ମୁଁ ଏ ବିଷୟରେ ଦିଲ୍ଲୀର LG, କମିଶନର ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।”
ମୁଖ୍ୟମନ୍ତ୍ରୀ ଘୋଷଣା କଲେ, ଦୁର୍ଘଟଣାର ତଦନ୍ତ କରାଯିବ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମୁସ୍ତାଫାବାଦରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁସ୍ତାଫାବାଦରେ କୋଠା ଭୁଶୁଡ଼ିବା ଭଳି ଦୁଃଖଦ ଘଟଣା ପାଇଁ ମନ ଦୁଃଖିତ। ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦ୍ଵାରା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହୋଇପାରିବ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆହୁରି କହିଛନ୍ତି, “ଡିଡିଏମଏ, ଏନଡିଆରଏଫ, ଡିଏଫଏସ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।”
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା। ଭଗବାନ ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶୋକସନ୍ତପ୍ତ ପରିବାରକୁ ମଧ୍ୟ ଶକ୍ତି ଦିଅନ୍ତୁ।
ଉତ୍ତର ପୂର୍ବ ଜିଲ୍ଲାର ଅତିରିକ୍ତ ଡେପୁଟି ପୋଲିସ କମିଶନର ସନ୍ଦୀପ ଲାମ୍ବା କହିଛନ୍ତି ଯେ, ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ଚାରି ମହଲା କୋଠା ଥିଲା, ଉଦ୍ଧାର କାର୍ଯ୍ୟ ଚାଲିଛି। ଏବେ ବି ୮ ରୁ ୧୦ ଜଣ ଫସି ରହିଥିବା ସମ୍ଭାବନା ରହିଛି। ଘଟଣାସ୍ଥଳରେ NDRF, ପୋଲିସ ଏବଂ ଡଗ୍ ସ୍କ୍ବାଡ୍ ଦଳ ଉପସ୍ଥିତ ଅଛନ୍ତି ଏବଂ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରାଯାଉଛି। ଏସିପିଙ୍କ ଅନୁଯାୟୀ, ଚାରି ମହଲା ବିଶିଷ୍ଟ କୋଠାରେ ୨୦ରୁ ୨୫ ଜଣ ଲୋକ ରହୁଥିଲେ।
କହି ରଖୁଛୁ ଯେ, ଦିଲ୍ଲୀର ମୁସ୍ତାଫାବାଦରେ ଏକ ଚାରି ମହଲା କୋଠା ଭୁଶୁଡ଼ିବା ଘଟଣାରେ ଉଦ୍ଧାରକାରୀ ଦଳ ୨ ଜଣ ପିଲାଙ୍କୁ ବଞ୍ଚାଇଛନ୍ତି। ଉଭୟଙ୍କୁ GTB ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଭଗ୍ନାବଶେଷରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଭଗ୍ନାବଶେଷ ମଧ୍ୟରୁ ମୋଟ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ପିଲାମାନେ ମଧ୍ୟ ଅଛନ୍ତି।