ଉତ୍ସବର ଆନନ୍ଦ ହେବ ଦ୍ୱିଗୁଣିତ, ୟୁପିରେ ଅକ୍ଟୋବର ୨୮ରୁ ୨୪ ଘଣ୍ଟା ପାଇଁ ମିଳିବ ବିଦ୍ୟୁତ ସେବା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ସବର ମାହୋଲ ଖରାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏନେଇ ସେ ରାଜ୍ୟର ବିଭାଗୀୟ ଅଧିକାରୀଙ୍କୁ ଉତ୍ସବ ସମୟରେ ବିଦ୍ୟୁତ୍ କାଟ୍ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ସତର୍କତା ବୃଦ୍ଧି କରିବା ପାଇଁ କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବିଭାଗୀୟ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ କରିଥିଲେ । ଆସନ୍ତା ଅକ୍ଟୋବର ୨୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ରାଜ୍ୟରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଖୁସି ଏବଂ ଉତ୍ସବ ସମୟରେ ପାୱାର କର୍ପୋରେସନକୁ ଆବଶ୍ୟକୀୟ ପ୍ରସ୍ତୁତି କରିବା ଉଚିତ । ସେହିଭଳି ଆସନ୍ତା ପର୍ବଗୁଡ଼ିକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ନିରୀକ୍ଷଣକୁ ତ୍ୱରାନ୍ୱିତ କରାଯିବା ଉଚିତ । ଏହା ବ୍ୟତୀତ ସେ ପରିବହନ ବିଭାଗକୁ ଗ୍ରାମୀଣ ମାର୍ଗରେ ବସଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ରକ୍ଷାବନ୍ଧନ ହେଉ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ, ଦୁର୍ଗାପୁଜା, ଇଦ୍‌, ବକରୀଦ୍‌, ମୋହରମ କେଉଁ ବି ଉତ୍ସବ ସମୟରେ ସକାରାତ୍ମକ ମାହୋଲ ରହିବା ଆବଶ୍ୟକ ଏଥିପାଇଁ ମଜବୁତ ଟିମ୍ ୱାର୍କ ଏବଂ ଜନତାଙ୍କ ସହଯୋଗ ରହିବା ଆବଶ୍ୟକ । ସମାଜରେ ଶାନ୍ତିପୂର୍ଣ୍ଣ ମାହୋଲରେ ବାଧା ଉତ୍ପନ୍ନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ନିଆଯିବା ଆବଶ୍ୟକ । ସୋସିଆଲ ମିଡିଆରେ ମଧ୍ୟ ସତର୍କ ରହିବା ଉଚିତ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଏହି ମଞ୍ଚରେ ନଜର ରଖିବା ପାଇଁ ଏକ ଟିମ୍ ନିୟୋଜିତ ରହିବେ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।