ଅର୍ଦ୍ଧନାରେଶ୍ୱର ରୂପରେ ପହଁଚିଲେ କୋର୍ଟ, ଜାଣନ୍ତୁ ପୁରା ଘଟଣା
ଅଧା ମାଇପି, ଅଧା ମରଦ ବେଶରେ କୋର୍ଟରେ ପହଞ୍ଚିଲେ ଯୁବକ
ମଧ୍ୟପ୍ରଦେଶ: ଅଦ୍ଭୁତ ରୂପ! ଅଧା ମାଇପି, ଅଧା ମରଦ ବେଶରେ କୋର୍ଟରେ ପହଁଚିଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମାଲୱା କୋର୍ଟ ପରିସରରେ। ଅପହରଣ ଅଭିଯୋଗରେ ଫେରାର ଥିବା ଜଣେ ବ୍ୟକ୍ତି ତାଙ୍କ ଅଢ଼େଇ ବର୍ଷର ପୁଅ ସହିତ ଏହି ଅଜବ ବେଶରେ କୋର୍ଟରେ ହାଜର ହୋଇଥିଲେ।
ପୁଅକୁ କିଡନାପ: ଏହି ବ୍ୟକ୍ତିଙ୍କ ନାମ ମନୋଜ ବାମନିଆ, ଯାହାଙ୍କ ଉପରେ ତାଙ୍କ ନିଜ ପ୍ରିୟ ପୁଅ ଭବ୍ୟାଂଶକୁ ଅପହରଣ କରିବାର ଅଭିଯୋଗ ଅଛି। ବାସ୍ତବରେ ମନୋଜଙ୍କ ଶାଳୀ ଯେତେବେଳେ ତାଙ୍କ ପୁଅ ଭବ୍ୟାଂଶକୁ ମନ୍ଦିରକୁ ନେଇ ଯାଉଥିଲେ ସେତେବେଳେ କିଛି ଦୁର୍ବୃତ୍ତ ଏକ ବୋଲେରୋ ଗାଡ଼ିରେ ଆସି ଫିଲ୍ମି ଷ୍ଟାଇଲରେ ପିଲାଟିକୁ ଛଡ଼ାଇ ନେଇ ପଳାଇ ଯାଇଥିଲେ।
10,000 ଇନାମ: ଏହାକୁ ନେଇ ମନୋଜଙ୍କ ପତ୍ନୀ ରୀନା, ତୁରନ୍ତ କୋତୱାଲି ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କଲେ ଏବଂ ପିଲାଟିର ଅପହରଣ ପାଇଁ ତାଙ୍କ ସ୍ୱାମୀ ମନୋଜ ଦାୟୀ ବୋଲି କହିଲେ। ପ୍ରାୟ 3 ମାସ ପର୍ଯ୍ୟନ୍ତ ମନୋଜ ପୋଲିସ ହାତରେ ଧରା ପଡିଲେନି, ଯାହାଫଳରେ ପୋଲିସ ତାଙ୍କୁ ଯିଏ ଧରାଇ ଦେବ ତାକୁ 10,000 ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ।
ଦିନେ ହଠାତ ମନୋଜ ତାଙ୍କ ପୁଅକୁ ଧରି କୋର୍ଟରେ ହାଜର ହେଲେ। ତାଙ୍କ ବେଶଭୂଷା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେ ଅଧା ଶରୀରରେ ପ୍ୟାଣ୍ଟ ସାର୍ଟ ଏବଂ ଅଧା ଶରୀରରେ ଲୁଗା ପିନ୍ଧିଥିଲେ।
ସେ କୋର୍ଟରେ ପହଞ୍ଚି ସମସ୍ତଙ୍କ ସାମ୍ନାରେ ଦାବି କରି କହିଥିଲେ ଯେ, ସେ ତାଙ୍କ ପୁଅର ସବୁ ପ୍ରକାର ଯତ୍ନ ନେଇଛନ୍ତି। ସେ ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି, ଆଉ ତାକୁ ପାଇବା ପାଇଁ ସେ ଏପରି କିଡନାପ କରିଥିଲେ।
ଘରୋଇ ହିଂସା ମାମଲା: ବାସ୍ତବରେ ମନୋଜ ଏବଂ ତାଙ୍କ ସ୍ତ୍ରୀ ରୀନା ଗତ ଦୁଇ ବର୍ଷ ଧରି ଅଲଗା ରହୁଛନ୍ତି। ରୀନା ମନୋଜଙ୍କ ବିରୋଧରେ ମହିଳା ଥାନାରେ ଯୌତୁକ ନିର୍ଯାତନା ଏବଂ ଘରୋଇ ହିଂସା ପାଇଁ ଏକ ମାମଲା ମଧ୍ୟ ଦାୟର କରିଥିଲେ। କୋର୍ଟ ପୂର୍ବରୁ ପିଲାଟିକୁ ରୀନାଙ୍କୁ ହସ୍ତାନ୍ତର କରିଥିଲା, କିନ୍ତୁ ମନୋଜ ପିଲାଟିକୁ ନିଜ ପାଖରେ ରଖିବାକୁ ବାରମ୍ବାର ଜିଦ୍ ଧରି ଏହି ବଡ଼ ଭୁଲ କରିଥିଲେ।
ଚିନ୍ତାରେ ପୋଲିସ: ଏହି ମାମଲାଟି ଏବେ ଜଣେ ପିତାଙ୍କ ଅଲୌକିକ ସ୍ନେହ ଏବଂ ଆଇନ ଉଲ୍ଲଂଘନ ମଧ୍ୟରେ ଏକ ଜଟିଳ ମାନବ କାହାଣୀ ଭାବରେ ପ୍ରକାଶ ପାଇଛି, ଯାହା ପୋଲିସକୁ ଚିନ୍ତାରେ ପକାଇ ଦେଇଛି।