fbpx

ଏସିଆ ମହାଦେଶର ‘ମହାରାଜା’ ସାଜିଲା ଟିମ ଇଣ୍ଡିଆ: ୫ ବର୍ଷ ପରେ ହାସଲ କଲା ଏସିଆ କପ୍ ଟାଇଟଲ

ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରି ଏସିଆ ମହାଦେଶର ନୂଆ ମହାରାଜା ସାଜିଛି ରୋହିତ ସେନା । ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କାକୁ ନିଜ ଘରେ ହରାଇ ଭାରତ ଏହି ଟାଇଟଲ ଉପରେ କବଜା କରିଛି । ଭାରତର ଦୁଇ ଷ୍ଟାର ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ ଭାରତକୁ ଏହି ଛୋଟ ଟାର୍ଗେଟରେ ପହଞ୍ଚାଇଛନ୍ତି । ମ୍ୟାଚର ପ୍ରଥମ ପାୱାର-ପ୍ଲେ ଶେଷ ହେବା ପୂର୍ବରୁ ହିଁ ଭାରତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି ।

ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ପିଛା କରିବା ପାଇଁ ମଇଦାନକୁ ଆସିଥିଲେ ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ । ଛୋଟ ଟାର୍ଗେଟ ଥିବାରୁ ଭାରତୀୟ ଅଧିନାୟକ ରୋହିତଙ୍କ ସ୍ଥାନରେ ଇଶାନ କିଶାନ ଶୁଭମନଙ୍କ ସହ ପାଳି ଆରମ୍ଭ କରିଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ସୁଫଳ ମଧ୍ୟ ଆଣିଦେଇଛି । ଦମଦାର ଫର୍ମରେ ଥିବା ଗିଲ ଏବଂ ଇଶାନ ବିନା କୌଣସି ୱିକେଟ ହରାଇ ଛୋଟ ଟାର୍ଗେଟକୁ ହାସଲ କରି ନେଇଛନ୍ତି । ଏହି ମ୍ୟାଚରେ ଶୁଭମନ ଗିଲ ୧୯ ବଲରେ ୨୭ ରନ୍ କରିଥିବା ବେଳେ ଇଶାନ କିଶାନ ୧୮ ବଲରେ ୨୩ ରନ କରି ଅପରାଜିତ ରହିଛନ୍ତି ।

ଏଥିସହ ୫ ବର୍ଷ ପରେ ଭାରତ ପୁଣିଥରେ ଏସିଆ ମହାଦେଶର ମହାରାଜା ପାଲଟିଯାଇଛି । ଏହାପୂର୍ବରୁ ୨୦୧୮ ମସିହାରେ ରୋହିତଙ୍କ ନେତୃତ୍ୱରେ ବାଂଲାଦେଶକୁ ମାତ୍ ଦେଇ ଏସିଆ କପ୍ ବିଜୟୀ ହୋଇଥିଲା ଭାରତ । ତେବେ ଟିମ ଇଣ୍ଡିଆ ଏହି ଟାଇଟଲ ସହ ମୋଟ ୮ଟି ୱିକେଟ ହାସଲ କରିଛି । ଏହାବ୍ୟତୀତ ୩ ଥର ରନର୍ସ ଅପ୍ ରହିଛି ଭାରତୀୟ ଦଳ । ଭାରତ ପରେ ଦ୍ୱିତୀୟ ସ୍ଥାନରେ ଶ୍ରୀଲଙ୍କା ୬ଥର ଟାଇଟଲ ବିଜୟୀ ହୋଇଛି ।

ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତର ଘାତକ ବୋଲିଂ ଆଗରେ ଫେଲ ମାରିଛି ପୂର୍ବତନ ଚମ୍ପିଆନ୍ । ଭାରତର ପେସ୍ ଆଟାକ୍ ସାମ୍ନାରେ ସମ୍ପୂର୍ଣ୍ଣ ଦଳ ମାତ୍ର ୫୦ ରନ୍ କରିବାରେ ସମର୍ଥ ହୋଇ ପାରିଛି । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସଠିକ ବୋଲିଂ ଶ୍ରୀଲଙ୍କାକୁ ମାତ୍ର ୫୦ ରନରେ ହିଁ ଅଟକାଇ ଦେଇଥିଲା । ମହମ୍ମଦ ସିରାଜ ଏହି ମ୍ୟାଚରେ ସର୍ବାଧିକ ୬ଟି ୱିକେଟ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାପରେ ଶୁମନ ଏବଂ ଇଶାନ କିଶାନଙ୍କ ପାର୍ଟନରସିପ ଭାରତକୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ମୁକୁଟ ପିନ୍ଧାଇଛି । ଶୁଭମନ ୨୭ ରନ୍ କରିଥିବା ବେଳେ ଇଶାନ ୨୩ ରନ୍ କରି ଅପରାଜିତ ରହିଛନ୍ତି ।

Get real time updates directly on you device, subscribe now.