ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତି

ବିଜୁ ବାବୁଙ୍କ ପ୍ରତିମୃର୍ତ୍ତିରେ ସକାଳୁ ସକାଳୁ ନିଆଁ ଲଗାଇଦେଲେ ଦୁର୍ବୃତ୍ତ।

ବଲାଙ୍ଗୀର: ପୁଣି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ। ପୂର୍ବରୁ ବିଜୁ ବାବୁଙ୍କ ପ୍ରତିମୃର୍ତ୍ତିର ମୁଣ୍ଡ ଭାଙ୍ଗି ଦେଇଥିବା ଏବଂ ପ୍ରତିମୃର୍ତ୍ତି ପ୍ରତି ଅନେକ ଅସମ୍ମାନ ଜନକ ଘଟଣା ଆପଣମାନେ ଦେଖିବାକୁ ପାଇଥିବେ।

ହେଲେ ଏବେ ପୁଣିଥରେ ବିଜୁ ବାବୁଙ୍କୁ ଅସମ୍ମାନ କରାଯାଇଛି। ବିଜୁ ବାବୁଙ୍କ ପ୍ରତିମୃର୍ତ୍ତିରେ ନିଆଁ ଲଗାଇ ଜାଳି ଦେବାର ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି।

ତେବେ ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ଦୁର୍ବୃତ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ। ଆଉ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୃର୍ତ୍ତି।

ସୂଚନାନୂସାରେ, ଯେତେବେଳେ ଏହି ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତି ସ୍ଥାପନା କରାଯାଇଥିଲା, ସେତେବେଳେ ବିବାଦ ଦେଖା ଦେଇଥିଲା। ଆଉ ଏବେ କେହି ଏହି ପ୍ରତିମୃର୍ତ୍ତିରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି।

ପୂର୍ବତନ ବିଧାୟକ ସରୋଜ ମେହେର ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ବିଜୁ ପ୍ରତିମୂର୍ତ୍ତି ସ୍ଥାପନା  କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ। ଆଉ ସେହି ସ୍ଥାନରେ ପର୍ଶୁରାମ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଜିଦ୍ କରିଥିଲେ।

ହେଲେ କିଛି ଲାଭ ହୋଇନଥିଲା। ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜରି ଗୁଡାହୋଇ ରଖାଯାଇଥିଲା। ହେଲେ ଏବେ କେହି ଦୁର୍ବୃତ୍ତ ଆଜି ସକାଳୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି। ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି, କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।