fbpx

ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ମାମଲା; ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ ସମସ୍ତ ଦୋଷୀ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ରବିବାର ବିଳମ୍ବିତ ରାତିରେ ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଜଣ ଦୋଷୀ ଆତ୍ମସମର୍ପଣ କରିଛନ୍ତି। ସ୍ଥାନୀୟ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଏନ୍ ଏଲ୍ ଦେଶାଇ କହିଛନ୍ତି, ରବିବାର ବିଳମ୍ବିତ ରାତିରେ ସମସ୍ତ ୧୧ ଜଣ ଦୋଷୀ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜାନୁଆରୀ ୨୧ ତାରିଖ ମଧ୍ୟରାତ୍ରି ପୂର୍ବରୁ ଏହି ଦୋଷୀମାନେ ଜେଲରେ ପହଞ୍ଚିଥିଲେ, ଆତ୍ମସମର୍ପଣ କରିବାର ଶେଷ ତାରିଖ ଥିଲା ୨୧ ତାରିଖ । ଗତ ଜାନୁଆରି ୮ ତାରିଖରେ ସୁପ୍ରିମକୋର୍ଟ ବିଲ୍କିସ୍ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଦୋଷମୁକ୍ତ କରିବା ଘଟଣାକୁ ରଦ୍ଦ କରିଥିଲେ।

ଅଭିଯୁକ୍ତଙ୍କ ସହ ମିଶି ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ସମାଲୋଚନା କରିଥିଲେ। ୨୦୨୨ ସ୍ୱାଧୀନତା ଦିବସ ଅବସରରେ ବିଲ୍କିସ୍ ବାନୋ ମାମଲାରେ ଦୋଷୀମାନଙ୍କୁ ଅକାଳରେ ମୁକ୍ତ କରିବାକୁ ଗୁଜରାଟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ବିଲ୍କିସ୍ ବାନୋ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗତ ଜାନୁଆରୀ ୧୯ ତାରିଖରେ ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ଆତ୍ମସମର୍ପଣ କରିବାର ସମୟସୀମା ବଢ଼ାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିବା ସହ ଜାନୁଆରୀ ୨୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଥିଲେ।

୧୧ ଜଣ ଦୋଷୀ ହେଲେ ବାକାଭାଇ ଭୋହାନିଆ, ବିପିନ ଚନ୍ଦ୍ର ଯୋଶୀ, କେଶରଭାଇ ଭୋହାନିଆ, ଗୋବିନ୍ଦ ନାଇ, ଯଶବନ୍ତ ନାଇ, ମିତେଶ ଭଟ୍ଟ, ପ୍ରଦୀପ ମୋର୍ଧିଆ, ରାଧେଶ୍ୟାମ ଶାହା, ରାଜୁଭାଇ ସୋନି, ରମେଶ ଚନ୍ଦନା ଓ ଶୈଳେଶ ଭଟ୍ଟ। ୨୦୦୨ରେ ଗୁଜରାଟ ଦଙ୍ଗା ସମୟରେ ୨୧ ବର୍ଷୀୟ ବିଲକିସ୍ ବାନୋଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେତେବେଳେ ସେ ୫ ମାସର ଗର୍ଭବତୀ ଥିଲେ। ତାଙ୍କ ସାମ୍ନାରେ ତାଙ୍କର ୩ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା। ଏଥିରେ ତାଙ୍କ ପରିବାରର ୭ ଜଣ ସଦସ୍ୟପ୍ରାଣ ହରାଇଥିଲେ।

Get real time updates directly on you device, subscribe now.