fbpx

ବିଶ୍ୱରେ ବଢ଼ୁଛି ଭାରତର ପତିଆରା: ଦୁଇ ମହାଶକ୍ତି ରୁଷିଆ ଓ ଆମେରିକା ଭାରତକୁ କାହିଁକି ଦେଉଛନ୍ତି ଗୁରୁତ୍ୱ, ଜାଣନ୍ତୁ ସେ ବିଷୟରେ

ନୂଆଦିଲ୍ଲୀ: ଇତିମଧ୍ୟରେ ୪୯ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ତେବେ ଏହି ଯୁଦ୍ଧର ଭୟଙ୍କର ବିଭୀଷିକା କେବଳ ଦୁଇ ରାଷ୍ଟ୍ରକୁ ନୁହେଁ, ସମଗ୍ର ବିଶ୍ୱବାସୀଙ୍କୁ ବହୁଳ ମାତ୍ରାରେ କନ୍ଦାଇଛି । ତେବେ ଏହି ଯୁଦ୍ଧ ମଧ୍ୟରେ ଭାରତର ଦବଦବା ବିଶ୍ୱ ଦରବାରରେ ବୃଦ୍ଧି ପାଇଛି ଏନେଇ ଅନେକ ହୁଏତ ଜାଣିନଥିବେ । ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇସାରିଛି । ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା ସହ ପଶ୍ଚିମ ଦେଶ ଓ ନାଟୋ ରହିଛନ୍ତି । ସେହିପରି ଅନ୍ୟପଟେ ରୁଷ ସହିତ ଚୀନ ପରି ଅନେକ ରାଷ୍ଟ୍ର ରହିଛନ୍ତି ।

ଏଭଳି ସ୍ଥିତିରେ ଭାରତର ଭୂମିକାକୁ ନେଇ ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ମଧ୍ୟରେ ଟଣାଓଟରା ଚାଲିଛି । ଏହା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ରୁଷର ବୈଦେଶିକ ମନ୍ତ୍ରୀ ଓ ଆମେରିକାର ଡେପୁଟି ଏନଏସଏ ଭେଟି ଆଲୋଚନା କରିସାରିଲେଣି । କେବଳ ସେତିକି ନୁହେଁ ଗତ ଦୁଇ ସପ୍ତାହ ମଧ୍ୟରେ ଭାରତକୁ ବିଶ୍ୱର ଅନେକ ବଡ଼ ବଡ଼ ଦେଶର ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିଦେଇଛନ୍ତି । କ’ଣ ରହିଛି ଏହା ପଛର କାରଣ? କାହିଁକି ଏମାନେ ଭାରତକୁ ଆସୁଛନ୍ତି? ଏ ଦୁଇଟି ପ୍ରଶ୍ନ ତ ଅଲଗା କଥା । ତେବେ ଭାରତ ଯେ ବର୍ତ୍ତମାନ ବିଶ୍ୱର କେନ୍ଦ୍ରସ୍ଥଳ ପାଲଟିଛି ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ । ୟୁକ୍ରେନ-ରୁଷିଆ ଯୁଦ୍ଧ ସମୟରେ ଭାରତ ଏକମାତ୍ର ଦେଶ ଭାବେ ନିଜ ଦେଶ ସହ ଅନ୍ୟ ଦେଶର ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଚଳାଇଥିଲା ‘ଅପରେସନ୍ ଗଙ୍ଗା’ । ଭାରତର ବୈଦେଶିକ ନୀତି ଓ ଶାନ୍ତିର ବାର୍ତ୍ତା ଆଜି ବିଶ୍ୱସ୍ତରରେ ଆଦୃତି ଲାଭ କରିଛି ।

ୟୁକ୍ରେନ ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ରୁଷ କିଛି ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରିବା କ’ଣ ସୂଚାଉଛି? ରୁଷ ପରି ମହାଶକ୍ତି ଭାରତକୁ ପ୍ରଶଂସା କରିବା, ଆମେରିକା ପରି ମହାଶକ୍ତି ଭାରତକୁ ନେଇ ହଡ଼ବଡ଼େଇବା, ପରୋକ୍ଷରେ ଭାରତର ତାକତର ହିଁ ପରିଚୟ ଦେଉଛି । ବିଭିନ୍ନ ଦେଶ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଭାରତ ହିଁ ତାକୁ ମୁକୁଳାଇ ପାରିବ ବୋଲି ରୁଷ୍ ହୃଦବୋଧ କରିପାରିଛି । ନିକଟରେ, ରୁଷ, ଆମେରିକା, ଚୀନ, ଜର୍ମାନୀ, ବ୍ରିଟେନ ପରି ୧୮ରୁ ଅଧିକ ଦେଶ ଭାରତ ଗସ୍ତ କରିସାରିଛନ୍ତି । କୂଟନୈତିକ ସ୍ତରରେ ଏହା ଭାରତ ପାଇଁ ଏକ ବଡ଼ ବିଜୟ । ଭବିଷ୍ୟତରେ ଯେ ଭାରତ ବିଶ୍ୱରେ ନିଜର ପତିଆର ଦେଖାଇବ ତାହା କ’ଣ ଏଥିରୁ ସ୍ପଷ୍ଟ ହେଉ ନାହିଁ କି?

Get real time updates directly on you device, subscribe now.