ନୂଆଦିଲ୍ଲୀ: କିଛିଦିନ ହେବ ଭାରତରେ ଦରଦାମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସାଧାରଣ ଖାଉଟି । ଏହାମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ପକ୍ଷରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକୁ ନେଇ ଖାଉଟିଙ୍କୁ ମିଳିପାରେ ଆଶ୍ୱସ୍ତି ।
ରିପୋର୍ଟ ଅନୁଯାୟୀ, ମହଙ୍ଗା ସ୍ଥିତି ହ୍ରାସ କରିବାରେ ଆରବିଆଇ ବହୁ ଆଗରେ ରହିଛି । ଆରବିଆଇ ଅଗଷ୍ଟ ଏବଂ ଅକ୍ଟୋବର ମାସରେ ମୌଦ୍ରିକ ସ୍ଥିିିତି ସମୀକ୍ଷା(ଏମପିସି)ରେ ରେପୋ ରେଟ୍କୁ ବୃଦ୍ଧି କରାଇବାର ଯୋଜନା ରଖିଛି । ଯାହା ଫଳରେ ଆଉ ମହଙ୍ଗା ସ୍ଥିିତି ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି । ତେବେ ଏଥିରୁ ଅନୁମାନ କରାଯାଉଛି ଯେ, ଏହା ଫଳରେ ଦେଶର ମହଙ୍ଗା ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିପାରେ । ଏହା ସହ ଖାଉଟିଙ୍କୁ ମଧ୍ୟ କିଛି ପରିମାଣରେ ଆଶ୍ୱସ୍ତି ମିଳିପାରେ । ଏସବିଆଇର “ଇକୋୱାର୍ପ” ରିପୋର୍ଟ ଅନୁସାରେ, ଆକଳନରୁ ଜଣାପଡୁଛି ଯେ ମହଙ୍ଗା ସ୍ତର ବର୍ତ୍ତମାନ ଉଚ୍ଚସ୍ତରରେ ରହିଛି । ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲରେ ପ୍ରାୟ ୮ ବର୍ଷର ଉଚ୍ଚସ୍ତର ୭.୭୯ ପ୍ରତିଶତରେ ପହଂଚିଥିଲା । ଏହାସହ ମୁଦ୍ରାସ୍ଫୀତି ମେ’ ମାସରେ ଖୁବ୍ କମ୍ ମାତ୍ରାରେ ହ୍ରାସ ପାଇ ଏହା ୭.୦୪ ପ୍ରତିଶତକୁ ଖସିଥିଲା । ତେବେ ୨୦୨୨-୨୩ରେ ଖୁଚୁରା ମୁଦ୍ରାସ୍ଫୀତି ୬.୭ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ଆରବିଆଇର ଗ୍ରୁପ୍ ଚିଫ୍ ଇକୋନିମିକ୍ ଆଡଭାଇଜର୍ ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ, “ଆରବିଆଇ ମୁଦ୍ରାସ୍ଫୀତିକୁ ହ୍ରାସ କରିବାରେ ବହୁ ଆଗରେ ରହିଛି, ଯାହାଫଳରେ ଆମେରିକାର ଫେଡେରାଲ ରିଜର୍ଭ(ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ) ମୁଦ୍ରାସ୍ଫୀତି ହ୍ରାସ କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମଡେଲକୁ ଆପଣାଇପାରେ ।” ସୂଚନା ଅନୁସାରେ, ଆରବିଆଇ ମହଙ୍ଗା ସ୍ଥିତିକୁ ହ୍ରାସ କରିବାରେ ପଛରେ ପଡିଯାଇଥିବା ଚର୍ଚ୍ଚା ଲାଗିରହିଥିଲା । ଆମେ କହିରଖୁଛୁ ଯେ, ଆମେରିକାରେ ମେ’ ମାସରେ ମୁଦ୍ରାସ୍ଫୀତି ୮.୬ ପ୍ରତିଶତ ରହିଥିଲା । ଯାହା ଚାରି ଦଶକରେ ସବୁଠାରୁ ଉଚ୍ଚସ୍ତରରେ ରହିଥିଲା । ରିପୋର୍ଟ ଅନୁସାରେ, ଆରବିଆଇ ଅଗଷ୍ଟ ମାସରେ ମୌଦ୍ରିକ ନୀତି ସମୀକ୍ଷାରେ ରେପୋ ରେଟ୍ ବୃଦ୍ଧି କରାଇବାର ଯୋଜନା ରଖିଛି । ଯାହା ଫଳରେ ଜୁନ୍ ମାସରେ ମୁଦ୍ରାସ୍ଫୀତି ୭ ପ୍ରତିଶତରୁ ଅଧିକ ହେବାର ସମ୍ଭାବନା ରହିଛି । ଏହାପରେ ଅକ୍ଟୋବରରେ ମଧ୍ୟ ରେପୋ ରେଟ୍ ବୃଦ୍ଧି କରାଇବାରେ ଯୋଜନା ଚଳାଇଛି ।