ଓଡ଼ିଶା ଭାସ୍କର: ଥରେ ଭାବନ୍ତୁ ତ ଯଦି କେବେ ବିମାନ ଯାତ୍ରା କରିବା ସମୟରେ ପ୍ଲେନ୍ର ଉପର ଛାତ ଉଡିଯାଏ ତେବେ କ’ଣ ହେବ । ଆପଣ ଭାବୁଥିବେ ଏପରି ହେବା ଅସମ୍ଭବ । ୩୫ ବର୍ଷ ପୂର୍ବେ ଏଭଳି ଏକ ବିମାନ ଦୁର୍ଘଟଣା ହୋଇଥିଲା, ଯେତେବେଳେ ମଝି ଆକାଶରେ ବିମାନ ଛାତ ଉଡିଯାଇଥିଲା । କଥାଟି ଅଜବ ଲାଗୁଥିଲେ ବି ସତ । ୧୯୮୮ ଏପ୍ରିଲ ୨୮ରେ ହିଲୋ ଇନ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ଫ୍ଲାଇଟ୍ ଟେକ୍ ଅଫ୍ କରିଥିଲା । ଅଲୋହା ଏୟାରଲାଇନ୍ସର ଏହି ଫ୍ଲାଇଟ୍ର ନଂ ୨୪୩ ଥିଲା, ଯାହାର ଛାତ ଉଡାଣ ବେଳେ ଉଡ଼ିଯାଇଥିଲା । ସେତେବେଳେ ବିମାନରେ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କୁ ମିଶାଇ ୯୫ ଲୋକ ଯାତ୍ରା କରୁଥିଲେ ।
୨୪ହଜାର ଫୁଟ ଉଚ୍ଚରେ ସମୟ ପାଖାପାଖି ୧ଟା ୪୮ ମିନିଟରେ ବିମାନରେ ଅଚାନକ ସମସ୍ତଙ୍କୁ ଏକ ଜୋରଦାର ଝଟ୍କା ଲାଗିଥିଲା । ଯାତ୍ରୀମାନେ କିଛି ଚିନ୍ତା କରିବା ପୂର୍ବରୁ ବିମାନର ଛାତ ଉଡି ଯାଇଥିଲା । ଏପରିକି ସେମାନଙ୍କ ଅକ୍ସିଜେନ୍ ମାସ୍କ ମଧ୍ୟ ଉଡ଼ି ଯାଇଥିଲା । ବିମାନରେ ଛିଦ୍ର ହେଲେ ସେଥିମଧ୍ୟରେ ଥିବା ସମସ୍ତ ସାମଗ୍ରୀ ଦ୍ରୁତ ବେଗରେ ବାହାରକୁ ଟାଣି ହୋଇ ଆସିଥାଏ । ଏଣୁ ଉକ୍ତ ବିମାନରେ ଲୋକେ ବାହାରକୁ ଟାଣି ହୋଇଥିଲେ । କିନ୍ତୁ ସମସ୍ତେ ସିଟ୍ ବେଲ୍ଟ ବାନ୍ଧିଥିଲେ । ଏଭଳି ଭୟଙ୍କର ସ୍ଥିତିରେ ୧ଟା ୫୮ରେ ପାଇଲଟଙ୍କ ସମ୍ପର୍କ ମାଭି ବିମାନବନ୍ଦର ସହ ହୋଇଥିଲା । ବିମାନବନ୍ଦର ଅଧିକାରୀମାନେ ଅସୁବିଧା କ’ଣ ହୋଇଛି ତାହା ଜାଣିପାରିଥିଲେ, ପରେ ବିମାନ ସୁରକ୍ଷିତ ଭାବେ ତଳକୁ ଆସିଥିଲା । କେବଳ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ଯାତ୍ରୀଙ୍କ ଜୀବନ ବଂଚାଯାଇପାରିଥିଲା ।