ଭୁବନେଶ୍ୱର: ଗତକାଲି ରାତିରେ ରାଜ୍ୟର ଶୀତ ପ୍ରଭାବ କମ ଥିବା ସହ ପାରଦ ବଢିଥିବାର ଦେଖାଦେଇଛି ।କାଲି କୋରାପୁଟ ଜିଲ୍ଲାରେ ଶୀତର ପ୍ରଭାବ ଅଧିକ ରହିଥିଲା । ସେଠାର ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା । ସେହିପରି ଫୁଲବାଣୀରେ ୧୨.୨ଡିଗ୍ରି ରହିଥିଲା । ଦାରିଙ୍ଗବାଡିରେ ୧୨.୫, କଟକର ରାତି ତାପମାତ୍ରା ୧୯.୫ ଡିଗ୍ରି ରହିଥିଲା । ଏହାସହ ରାଜଧାନୀରେ ତାପମାତ୍ରା ୧୯.୯ ଡିଗ୍ରି ତାପମାତ୍ରା ରହିଥିଲା ।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । କିନ୍ତୁ ୨ଦିନପରେ ରାଜ୍ୟର ଅଧିକାଂଶ ସ୍ଥାନରେ ୩ ରୁ ୪ଡିଗ୍ରି ପାରଦ ଖସିବ ବୋଲି ସୂଚନା ଦିଆଯାଇଛି ।ତେବେ ଦେଶର ପାଣିପାଗ କଥା ଦେଖିଲେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହ ଚେନ୍ନାଇ ଆଡକୁ ଗତି କରିଲାଣି ।
ସେହିପରି ଏହା ବୁଲିବୁଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ପର୍ଯ୍ୟନ୍ତ ଗତି କରିବ ବୋଲି ଆକଳନ କରାଯାଇଛି । ତେବେ ୨୨ତାରିଖ ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେଉଛି । ଏଥିପାଇଁ ରାତିର ତାପମାତ୍ରାରେ ହ୍ରାସ ଦେଖାଦେଇଛି ।